ୟୁକୋ ବ୍ୟାଙ୍କ ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ
ଅନୁଗୋଳÿ,୧୬/୯ (ସକାଳଖବର): ବଅଁରପାଳ ବ୍ଲକ ଗଡ଼ତଳମୂଳସ୍ଥିତ ୟୁକୋବ୍ୟାଙ୍କ ସମ୍ମୁଖରେ ତଳମୂଳ ଓ ଆଖପାଖ ୧୧ଟି ଗ୍ରାମର ଅଧିବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୟୁକୋ ବ୍ୟାଙ୍କ ଆରମ୍ଭରୁ ଏହି ଗଡ଼ତଳମୂଳ ଗ୍ରାମରେ ଥିବା ବେଳେ ବର୍ତ୍ତମାନ ଏହାକୁ ଅନ୍ୟ ଗ୍ରାମକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଅଭିଯୋଗ କରି ୧୧ଟି ଗ୍ରାମର ଅଧିବାସୀ ଏହାର ପ୍ରତିବାଦ କରିଥିଲେ । ଏହି ବ୍ୟାଙ୍କ ସ୍ଥାନାନ୍ତର ହେଲେ ତଳମୂଳ ସମେତ ଚକୁରିଆପାଳ, କଇଁଛ ବାହାଳ, ପାଣୁ ବେରେଣୀ, ଖାଲପାଳ, ନୂଆସାହି, ଖଜୁରିଆ, ବାଙ୍କିଡ଼ି, ବଉଳିଗଡ଼, କଲଣ୍ଡାପାଳ, ଜୁହାରପୁର, ରକଲା ପ୍ରଭୃତି ୧୧ଟି ଗ୍ରାମର ଅଧିବାସୀ ପ୍ରଭାବିତ ହେବେ । ଯେଉଁ ସ୍ଥାନକୁ ଏହି ବ୍ୟାଙ୍କ ସ୍ଥାନାନ୍ତର ହେବସେଠାକୁ ଯିବା ପାଇଁ ବହୁ ଦୂର ପଡ଼ିବ ଏବଂ ସେମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହା ସତ୍ତ୍ୱେ ଯଦି ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତର ହେବ ତେବେ ୧୧ଟି ଗ୍ରାମର ଶତାଧିକ ଲୋକ ବ୍ୟାଙ୍କରେ ରଖିଥିବା ଲକ୍ଷାଧିକ ଟଙ୍କା ଉଠାଇ ନେବା ସହ ଆରଡ଼ି ଫିକ୍ସ ଡ଼ିପୋଜିଟ ଫେରାଇ ଆଣିବେ ବୋଲି ଏକ ଅଭିଯୋଗ ପତ୍ର ବ୍ୟାଙ୍କ ପରିଚାଳକଙ୍କୁ ପ୍ରଦାନ କରିଛନ୍ତି । ଏହି ବିକ୍ଷୋଭରେ ରାଧାକାନ୍ତ ପଟ୍ଟନାୟକ, ଶ୍ରୀପତି ଦାସ, ନୀଳକଣ୍ଠ ଦଳବେହେରା, ପ୍ରଫୁଲ ପଟ୍ଟନାୟକ, ଗୋଲକ ବିହାରୀ ଦାସ, ମାଧବ ମହାପାତ୍ର, ନନ୍ଦ କିଶୋର ଦାସ, ଭାସ୍କର ପଟ୍ଟନାୟକ, ଅରବିନ୍ଦ ଜେନା, ବବୁଲୁ ଜେନା, ଲିଟୁ ଦାସ, ବିଷ୍ଣୁ ବେହେରା, ସନତ ଦାସ, ମନୋରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।