ଜେଲ୍ରୁ ବାହାରିଲେ ରାମ ରହିମ : ହରିୟାଣାରେ ପ୍ରବେଶ ଉପରେ ରୋକ୍ ଲଗାଇଲେ ନିର୍ବାଚନ କମିସନ
ସକାଳ ଖବର :ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାର ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ ଭୋଗୁଥିବା ଡେରା ସୌଚା ସୌଦା ମୁଖ୍ୟ ରାମ ରହିମ ପୁଣି ଥରେ ପାରୋଲରେ ବାହାରିଛନ୍ତି। ମାମଲାରେ ହରିୟାଣାର ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ଆଜି ସକାଳେ ଜେଲ୍ରୁ ବାହାରିଛନ୍ତି। ପୁଲିସ୍ ସିକ୍ୟୁରିଟି ମଧ୍ୟରେ ସେ ଜେଲ୍ରୁ ବାହାରି ଉତ୍ତରପ୍ରଦେଶସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛନ୍ତି।
ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ପାରୋଲ ମିଳିଛି। ଆସନ୍ତା ୫ ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ ଦିନର ପାରୋଲ ଅନୁମତି ମିଳିଛି। ଏହି ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଏଥିସହ ସୋଶାଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
ନିର୍ବାଚନ ଆୟୋଗଙ୍କ ସର୍ତ୍ତ ଅନୁସାରେ ରାମ ରହିମ ହରିୟାଣାରେ ପ୍ରବେଶ କରିପାରିବେ ନାହିଁ କି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ବାଚନ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ବୋଲି କମିସନ କହିଛନ୍ତି। କିନ୍ତୁ ଏହାକୁ କଂଗ୍ରେସ ତୀବ୍ର ବିରୋଧ କରିଛି। ରାମ ରହିମ ନିର୍ବାଚନ ସମୟରେ ବାହାରକୁ ଆସି ଭୋଟରମାନଙ୍କୁ ପ୍ରଭାବିତ କରିବେ ବୋଲି କଂଗ୍ରେସ ଅଭିଯୋଗ କରି ନିର୍ବାଚନ କମିସନଙ୍କୁ ଚିଠି ଲେଖିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିଲା ବେଳେ ରାମ ରହିମଙ୍କୁ ପାରୋଲ ମିଳିବା ନେଇ ଦଳ ପ୍ରଶ୍ନ ଉଠାଇବା ସହିତ ଏହା ପଛରେ କିଛି ନିର୍ଦ୍ଦିଷ୍ଟ ଉଦ୍ଦ୍ୟେଶ ନିହିତ ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି।