ଶହୀଦ ସ୍ମୃତି ସ୍ତମ୍ଭ ପାଇଁ ପବିତ୍ର ମାଟି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ

Aug 9, 2018 - 19:07
 226
ଶହୀଦ ସ୍ମୃତି ସ୍ତମ୍ଭ ପାଇଁ ପବିତ୍ର ମାଟି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ଥାପିତ
ଭୁବନେଶ୍ୱର, ୯/୮ (ସକାଳଖବର): ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ମାଟି ମା ପାଇଁ ିସର୍ବୋଚ୍ଚ ତ୍ୟାଗ ସ୍ୱୀକାର କରିଥିବା ଅମର ଶହୀଦ ମାନଙ୍କ ସ୍ମୃତିରେ ସ୍ଥାନୀୟ ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଭୁବନେଶ୍ୱରଠାରେ ନିର୍ମାଣ କରାଯିବ । ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଶହୀଦ ପୀଠର ପବିତ୍ର ମାଟିକୁ ସ୍ଥାପନ କରି ଶହୀଦ ସ୍ମୃତି ସ୍ତମ୍ଭର ଭିତି ପକାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ଅମର ଶହୀଦ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶହୀଦ ସ୍ମୃତି ସ୍ତମ୍ଭ ଆମର ଯୁବ ସମାଜକୁ ଦେଶର ଏକତା, ଅଖଣ୍ଡତା ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ଆଶାବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟର ୩୮ଟି ସ୍ଥାନରୁ ଆସିଥିବା ମାଟି ଏହି ସ୍ମୃତି ସ୍ତମ୍ଭରେ ରଖାଯାଇଛି । ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଡଃ. ନୃସିଂହ ସାହୁ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥିଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ ଯୋଗ ଦେଇ ଶହୀଦ ମାନଙକ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସାଂସଦ ତଥା ସର୍ବ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ସଭାପତି ଭର୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇଥିଳେ ଏବଂ ସ୍ୱାଧିନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ରାଜ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।