ବାଘୁଣୀ- ବାଘ ଦୂରତା ୪ କି.ମି

Aug 19, 2018 - 17:48
 611
ବାଘୁଣୀ- ବାଘ ଦୂରତା ୪ କି.ମି
ଅନୁଗୋଳ,୧୯/୮ (ସକାଳଖବର): ଜୁନ ୨୮ ତାରିଖରୁ ବାନ୍ଧବଗଡ଼ରୁ ଆସିଥିବା ଏହି ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ବନ ବିଭାଗ ଗତ ଶୁକ୍ରବାର ସନ୍ଧ୍ୟାରେ ଏନ୍କ୍ଲୋଜରରୁ ଛାଡ଼ିଥିବା ଜଣାଯାଇଛି । ଏନକ୍ଲୋଜରୁ ଛାଡ଼ିବା ପରେ ବାଘୁଣୀ ସ୍ୱାଭାବିକ ବିରଣ କରିବା ସହ ଏକ ଜନ୍ତୁ ଶିକାର କରିଥିବା ବନ ବିଭାଗ କହିଛି । ବାନ୍ଧବଗଡ଼ରୁ ସାତକୋଶିଆ ଆସିବା ପରେ ବାଘୁଣୀର ଓଜନ ମଧ୍ୟ ବୃଦ୍ଧି ପାଇଛି । ତେବେ ବାଘୁଣୀ ଏନକ୍ଲୋଜରରୁ ଯିବା ପରେ ଚର୍ତୁପାଶ୍ୱର୍ରେ ଘୁରି ବୁଲିବା ସହ ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲା । ତେବେ ଗେଟକୁ ବନ୍ଦ କରି ଦେବାରୁ ଧିରେ ଧିରେ ସାତକୋଶିଆ ଭିତରକୁ ପ୍ରବେଶ କରିଥିଲା । ରେଞ୍ଜ କାର୍ଯ୍ୟାଳୟ ଠାରୁ ୪/୫ କି.ମି ଦୂର ଲମ୍ବଙ୍ଗୀ ରାଇଗୋଡ଼ା ଆଦି ଅଞ୍ଚଳରେ ବୁଲି ଜନ୍ତୁ ଶିକାର କରିଥିବା ରେଡ଼ିଓ କୋଲାର ସାଟେଲାଇଟରୁ ଜଣାପଡ଼ିଛି । ତେବେ ପୂର୍ବରୁ ଥିବା ମହାବଳ ବାଘ ଶନିବାର ଅପରାହ୍ନ ସୁଦ୍ଧା ବାଘୁଣୀଠାରୁ ୪ କିମି ଦୂରରେ ଥିବା ଜଣାଯାଇଛି । ତେଣୁ ସାତକୋଶିଆରେ ବାଘ-ବାଘୁଣୀଙ୍କ ସ୍ୱଭାବିକ ବିଚରଣ ଯୋଗୁ ଆଗାମୀ ଦିନରେ ବଂଶ ବୃଦ୍ଧିର ସମ୍ଭାବନା ରହିଛି । ସାତକୋଶିଆରେ ପୂର୍ବରୁ ହୋଇଥିବା ଗଣନା ଅନୁଯାୟୀ ୧୬ଟି ବାଘ ଥିଲେ । ତେବେ ଆଉ ଗୋଟିଏ ବାଘ ଥିବା ନେଇ ବନ ବିଭାଗ ସୂଚନା ଦେଉଥିବା ବେଳେ ଅନ୍ୟ ବାଘ ମାନଙ୍କର ସ୍ଥିତି କଣ ରହିଛି ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦିଓ ବନ ବିଭାଗ ଏହି ଦୁଇଟି ବାଘକୁ ଆଣି ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଆଶାବାଦୀ ରହିଛି ତେବେ ପୂର୍ବରୁ ଥିବା ବାଘ ଗୁଡ଼ିକର ସଂରକ୍ଷଣ ଚିନ୍ତା କରିଥିଲେ ହୁଏତ ଆଜି ବାହାର ରାଜ୍ୟରୁ ବାଘ ଆଣିବାକୁ ପଡ଼ିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।