ଦୁଇଟି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଖାରଜ
କଟକ,୯ା୮(ସକାଳଖବର): ଦୁଇଟି ପୃଥକ ମାମଲାରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ତେବେ ତୁରନ୍ତ ଟ୍ରାଏଲ ସାରିବା ପାଇଁ କୋର୍ଟ ନିମ୍ନ ଅଦାଲତକୁ ନିଦେ୍ର୍ଧଶ ଦେଇଛନ୍ତି । ପୃଥକ ଭାବେ ଏହି ଦୁଇଟି ମାମଲାକୁ ସରକାରଙ୍କ ପକ୍ଷରୁ ଏଜିଏ ଅରୁପାନନ୍ଦ ଦାସ ଓ ଏଏସିସି ପ୍ରିୟବ୍ରତ ତି୍ରପାଠୀ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬ ମସିହାରେ ଗଜପତି ଜିଲା ଆର ଉଦୟଗିରିରେ ମାଓ ନେତା ସବ୍ୟସାଚୀ ଓ ତାଙ୍କର ସହଯୋଗୀମାନେ ମିଶି ଏକ ମୋବାଇଲ ଟାୱାର ପୋଡିଥିଲେ । ଏ ନେଇ ଆର ଉଦୟଗିରି ଥାନା ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ସେହିପରି ଆର ଉଦୟଗିରିରେ ଥିବା ସବ ଟ୍ରେଜେରୀ ଅଫିସରେ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଧରି ଜୋରଜବରଦସ୍ତ ଭାବେ ପ୍ରବେଶ କରି କାର୍ଯ୍ୟାଳୟର ବହୁ ସାମଗ୍ରୀ ନଷ୍ଟ କରିବା ସହ ଷ୍ଟ୍ରଙ୍ଗ ରୁମ ସମେତ ଅଫିସରେ ନିଅାଁ ଲଗାଇଦେଇଥିଲେ । ଅନେକ ଷ୍ଟାମ୍ପ ପେପର, ଟାଇପ ମେସିନ ଆଦି ନେଇଯାଇଥିଲେ । ଥାନାରେ ସବ ଟ୍ରେଜେରୀ ଅଫିସର ଏତଲା କରିବା ପରେ ପୁଲିସ ଆଇପିସି ୧୪୭, ୧୪୮, ୩୯୫, ୪୨୭, ୪୩୬, ୩୪୧, ୧୨୦(ବି), ୧୪୯ଦଫା ଓ ୨୫, ୨୭ ଆର୍ମ୍ସ ଆକ୍ଟରେ ମାମଲା ଦାୟର କରିଥିଲା ।