ରାଜ୍ୟପାଳଙ୍କୁ ଭେଟିଲେ ଶାସକ ବିଧାୟକ

Feb 8, 2019 - 19:30
 174
ରାଜ୍ୟପାଳଙ୍କୁ ଭେଟିଲେ ଶାସକ  ବିଧାୟକ
ଭୁବନେଶ୍ୱର,୮/୨(ସକାଳଖବର): ପଂଚଦଶ ବିଧାନସଭା ପଂଚଦଶ ଅଧିବେଶନର ପଂଚମ କାର୍ଯ୍ୟକାରୀ ଦିବସରେ ବୈଠକ ଆରମ୍ଭରୁ ହିଁ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ଗୃହର ପ୍ରଥମାର୍ଦ୍ଧ ବୈଠକର ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରିନଥିଲା । ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇଥିବା ବେଳେ କାର୍ଯ୍ୟସୂଚୀରେ ମୁଲତବୀ ପ୍ରସ୍ତାବ ନୋଟିସ୍ ସ୍ଥାନିତ ହୋଇନଥିବା ଆଜିର ଉଲ୍ଲେଖନୀୟ ଘଟଣା । ହଟ୍ଟଗୋଳ ଯୋଗୁଁ ଗୃହରେ ଦେଖାଦେଇଥିବା ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଓ ଉପବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ । ଗୃହକୁ ସ୍ୱାଭାବିକ କରିବାପାଇଁ ଏକ ସର୍ବଦଳୀୟ ବୈଠକ ତାଙ୍କ ପ୍ରକୋଷ୍ଠରେ ଡାକିଥିଲେ । ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା , ବିରୋଧୀ ଦଳ ନେତା ନରସିଂହ ମିଶ୍ର , ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ , ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ , ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି , ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଆମନ୍ତ୍ରଣ କରିଥିଲେ । ହଟ୍ଟଗୋଳ ବେଳେ କଂଗ୍ରେସ ପକ୍ଷରୁ ଚାଷୀ ସମସ୍ୟା , ନାବାଳିକା ଗର୍ଭବତୀ ହେବା ଏବଂ ଯୁବକଙ୍କୁ ନିଯୁକ୍ତି ଦିଆନଯିବା ନେଇ ହୋହାଲ୍ଲା କରିଥିବା ବେଳେ ବିଜେପି ସଦସ୍ୟମାନେ ମଦ ବିକ୍ରି ବନ୍ଦ କରିବା , ଯୁବ ମୋର୍ଚ୍ଚା ଉପରେ ପୋଲିସ୍ ଆକ୍ରମଣ ଏବଂ ନିଯୁକ୍ତି ନମିଳିବା , ଚାଷୀ ସମସ୍ୟାକୁ ନେଇ ହଙ୍ଗାମା କରିଥିଲେ । ଅପରପକ୍ଷରେ ବିଜେଡିର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି ଦେଇଥିବା ନିର୍ବାଚନ ପ୍ରତିଶୁ୍ରତି ଅନୁଯାୟୀ ଓଡିଶାର ପିଲାମାନଙ୍କୁ ନିଯୁକ୍ତି ନମିଳିବା ନେଇ ନିଜ ନିଜ ଆସନରେ ଠିଆ ହୋଇ ପାଟିତୁଣ୍ଡ କରିଥିଲେ । ଏହାପରେ ସେମାନେ ଏହି ଦାବି ନେଇ ରାଜ୍ୟପାଳଙ୍କ ନିକଟକୁ ଯାଇ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ ଥିଲେ ।