ଦିଲ୍ଲୀ ମେୟର୍‌ ନିର୍ବାଚନ: ‘ବିଜେପି’ ପ୍ରାର୍ଥୀ ପ୍ରତ୍ୟାହାର କରିବାରୁ ଅବାଧରେ ବିଜୟୀ ହେଲେ ‘ଆପ୍‌’ର ଶେଲି ଓବେରୟ

Apr 26, 2023 - 07:40
 119
ଦିଲ୍ଲୀ ମେୟର୍‌ ନିର୍ବାଚନ: ‘ବିଜେପି’ ପ୍ରାର୍ଥୀ ପ୍ରତ୍ୟାହାର କରିବାରୁ ଅବାଧରେ ବିଜୟୀ ହେଲେ ‘ଆପ୍‌’ର ଶେଲି ଓବେରୟ
ନୂଆଦିଲ୍ଲୀ: ‘ବିଜେପି’ ପ୍ରାର୍ଥିନୀ ଶିଖା ରାୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ‘ଆପ୍‌’ର ଶେଲି ଓବେରୟ ଆଜି ଅପ୍ରତିଦ୍ବନ୍ଦ୍ବୀ ଭାବେ ଦିଲ୍ଲୀ ‘ଏମ୍‌ସିଡି’ର ମେୟର୍‌ ନିର୍ବାଚିତ ହୋଇଛନ୍ତି। ସେହିପରି, ଡେପୁଟି ମେୟର୍‌ ନିର୍ବାଚନରୁ ମଧ୍ୟ ‘ବିଜେପି’ ପ୍ରାର୍ଥିନୀ ସୋନି ପାଲ୍‌ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବା ପରେ ‘ଆପ୍‌’ ପ୍ରାର୍ଥୀ ଆଲେ ମହମ୍ମଦ୍‌ ଇକ୍‌ବାଲ୍‌ ମଧ୍ୟ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଛନ୍ତି। ମେୟର୍‌ ନିର୍ବାଚନ ପାଇଁ ‘ଆପ୍‌’ର ପ୍ରାର୍ଥିନୀ ‌ଶେଲି ଓବେରୟ ଓ ‘ବିଜେପି’ ପ୍ରାର୍ଥିନୀ ଶିଖା ରାୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଦ୍ବନ୍ଦ୍ବିତା ପ୍ରବଳ ହେବ ବୋଲି ଆଶା କରାଯାଉଥିବା ବେଳେ ‘ବିଜେପି’ ପ୍ରାର୍ଥୀ ପ୍ରତ୍ୟାହାର କରିବାରୁ ‘ଆପ୍‌’ ନେତ୍ରୀ ନିର୍ବିଘ୍ନରେ ବିଜୟିନୀ ହୋଇଗଲେ। ଏହା ହେବ ‌ମେୟର୍‌ ଭାବେ ଶେଲି ଓ ଡେପୁଟି ମେୟର୍‌ ଭାବେ ଆଲେଙ୍କର ଦ୍ବିତୀୟ ପାଳି। ଟୁଇଟ୍‌ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ‌କହିଛନ୍ତି: ଏଥର ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇ ପୁଣି ମେୟର୍‌ ଓ ଡେପୁଟି ମେୟର୍‌ ହୋଇଥିବାରୁ ଶେଲି ଓ ଆଲେଙ୍କୁ ଅଭିନନ୍ଦନ। ଉଭୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆମ୍ଭମାନଙ୍କର ପାଖରୁ ଲୋକମାନଙ୍କୁ ଅନେକ ପ୍ରତ୍ୟାଶା ରହିଛି। ସେମାନଙ୍କର ପ୍ରତ୍ୟାଶା ପରିପୂରଣ ପାଇଁ କଠୋର ପରିଶ୍ରମ କରନ୍ତୁ।