୧୭ରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା : ନିରଂଜନ

Mar 14, 2019 - 14:53
 139
ଭୁବନେଶ୍ୱର,୧୩/୩(ସକାଳଖବର): ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାପାଇଁ ୧୦୫ଟି ବିଧାନସଭା ଓ ୧୫ ଟି ଲୋକସଭା ଲାଗି ପ୍ରାର୍ଥୀ ଚୂଡାନ୍ତ କରାଯାଇଛି । ଆସନ୍ତା ୧୭ ତାରିଖରେ ଆପାତତଃ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ସ୍କ୍ରିନିଂ କମିଟି ବୈଠକରେ ଯୋଗ ଦେବାପାଇଁ ଯାଇଥିବା ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଫେରିବା ପରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇ ସେ ଏହି ସୂଚନା ଦେଇଛନ୍ତି । ଅବଶିଷ୍ଟ ଆସନରେ ପ୍ରାର୍ଥୀ ଚୂଡାନ୍ତ ପାଇଁ ଆସନ୍ତା ୧୬ ତାରିଖରେ ପୁଣି ଥରେ ବୈଠକ ବସିବ । ଏହି ନିର୍ବାଚନରେ କଂଗ୍ରେସ ମଧ୍ୟ ମହିଳା କାର୍ଡ ଖେଳିବ । ଏଆଇସିସି ନିଦେ୍ର୍ଧଶ କ୍ରମେ ଅଧିକ ସଂଖ୍ୟାରେ ମହିଳାମାନଙ୍କୁ ଟିକେଟ୍ ଦେବାପାଇଁ ନିଷ୍ପତି ହୋଇଛି । ଗତକାଲି ସାଂସଦ ସିଟ୍ ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇଥିବା ବେଳେ ବିଧାନସଭା ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ପ୍ରାର୍ଥୀ ଚୂଡାନ୍ତ ହୋଇନାହିଁ । ସିପିଆଇ , ସିପିଆଇଏମ୍ ଓ ଜେଏମଏମକୁ ୩ ଟି ଲୋକସଭା ଆସନ ଦିଆଯିବ । ଅପରକ୍ଷରେ ବେଗୁନିଆ -ବୋଲଗଡ ଆସନରୁ ପୂବର୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ଲଢିବା ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପଟ୍ଟନାୟକ କହିଛନ୍ତିି ଯେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କୁ ବ୍ୟକ୍ତିଗତ ଭାବେ କହିଛନ୍ତି । ଯଦି ଗଣମାଧ୍ୟମ ସାମ୍ନାରେ ନିର୍ବାଚନ ଲଢିବା କଥା କହିଥାନ୍ତି ସେ କିଛି କରିପାରିବେନାହିଁ । ସେ ଯଦି ଲଢିବା ପାଇଁ ଆଗ୍ରହୀ ଏବଂ ବିଧିବଦ୍ଧ ଭାବେ କୁହନ୍ତି ତେବେ ତା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି ।