ଅମରେନ୍ଦ୍ର ସାମନ୍ତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ
ଆଠଗଡ଼ ଗଡ଼ଜାତ ରାଜବଂଶର ଜଣେ ସୁଯୋଗ୍ୟ ଦାୟାଦ ଭାବେ ୧୯୪୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱର୍ଗତ ଲକ୍ଷ୍ମୀନାଥ ସାମନ୍ତ ଓ ସ୍ୱର୍ଗତା ନିର୍ମଳା କୁମାରୀ ଜେମାଙ୍କ କୋଳମଣ୍ଡନ କରିଥିଲେ ଅମରେନ୍ଦ୍ର ସାମନ୍ତ ।
ପରଲୋକଗତ ଅମରେନ୍ଦ୍ର ଆଇନ ଶିକ୍ଷା ସମାପ୍ତି ପରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ସେ ଥିଲେ ମେଧାବୀ ଓ ଉଚ୍ଚ ପ୍ରତିଭାର ଅଧିକାରୀ । ଆଠଗଡ଼ ନ୍ୟାୟାଳୟରେ ଏପିପି ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରି ନିଜ ବୃତ୍ତିଗତ ନିଷ୍ଠାର ପରିଚୟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ୧୯୮୩ ମସିହା ଜୁନ୍ ୨୭ ତାରିଖରେ ସେ ବିଚାର ବିଭାଗୀୟ ସେବାରେ ଯୋଗଦେଇ ସୁନ୍ଦରଗଡ଼, ପୁରୀ ଓ ଭୁବନେଶ୍ୱରରେ ଜେଏମଏଫ୍ସି ଭାବେ କାର୍ଯ୍ୟ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ମୁନସିଫ୍ ଏବଂ ଆନନ୍ଦପୁର, ଦଶପଲ୍ଲା, ଉଦଳା, ଅନୁଗୁଳ ଓ ଖୋର୍ଦ୍ଧାରେ ଏସ୍ଡ଼ିଜେଏମ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କାମାକ୍ଷାନଗର, ରାୟଗଡ଼ା, ସମ୍ବଲପୁର, ନିମାପଡ଼ାଠାରେ ସିନିୟର ଡ଼ିଭିଜନ ସିଭିଲ ଜଜ୍ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ଓ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ପଦବୀରେ ଦକ୍ଷତାର ସହ କାର୍ଯ୍ୟ କରି ୨୦୦୭ ମସିହାରେ ସେବାନିବୃତ୍ତ ହୋଇଥିଲେ । ନିଜର ଚାକିରୀ କର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଅବହେଳିତ ବର୍ଗଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ସେ ଯତ୍ନବାନ ଥିଲେ । ନିଜ ଜୀବନରେ ନିଷ୍ଠା ଓ ଶୃଙ୍ଖଳାକୁ ସେ ସର୍ବଦା ପାଳନ କରିଆସୁଥିଲେ । ସେତାନିବୃତ୍ତି ପରେ ସେ ଆଠଗଡ଼ଠାରେ ନିଜ ପରିବାରବର୍ଗଙ୍କ ସହ ରହି ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲେ । ଜଣେ ଆତ୍ମିକ ଓ ଅମାୟିକ ବ୍ୟକ୍ତିତ୍ୱ ଭାବେ ସ୍ଥାନୀୟ ଅଞ୍ଚଳରେ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ ।