ପଞ୍ଚଦଶ ବିଧାନସଭା କାର୍ଯ୍ୟକାଳ ଶେଷ
ଭୁବନେଶ୍ୱର,୮/୨(ସକାଳଖବର): ପଂଚଦଶ ବିଧାନସଭା ପଂଚଦଶ ଅଧିବେଶନ ଆଜି ଶେଷ ହୋଇଛି । ଏହି ଅଧିବେଶନ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲେ ହେଁ କୌଣସି କାର୍ଯ୍ୟକ୍ରମ ନଥିବାରୁ ୨ ଦିନ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି ବୋଲି ବାଚସ୍ପତି ସଂଧ୍ୟା ୬ଟା୪୬ରେ ଘୋଷଣା କରିଥିଲେ । ଅପରାହ୍ନ ବୈଠକରେ ୫୬ହଜାର ୯୨୧କୋଟି ଟଙ୍କାର ଲେଖାନୁଦାନ ବିଧେୟକ ଗୃହରେ ଉପସ୍ଥାପିତ ହୋଇଥିଲା ଏବଂ ଆଲୋଚନା ହୋଇ ପାରିତ ହୋଇଥିଲା । ଅର୍ଥମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ହେଁ ସ୍ୱସ୍ତିବାଚକ ଅଭିଭାଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅର୍ଥମନ୍ତ୍ରୀଙ୍କ ଉତର ପରେ ସ୍ୱସ୍ତିବାଚକ ଅଭିଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିରୋଧୀ ଦଳ ନେତା ନରସିଂହ ମିଶ୍ର , ବିଜେପି ବିଧାୟକ ରବି ନାଏକ ଗୃହ ପରିଚାଳନାରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହ ସାମ୍ବାଦିକ , ସୁରକ୍ଷା କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ସ୍ୱସ୍ତିବାଚକ ଅଭିଭାଷଣରେ କହିଥିଲେ ଯେ ପଂଚଦଶ ବିଧାନସଭାର ପଂଚଦଶ ଅଧିବେଶନ ଫେବୃଆରୀ ୪ରୁ ଆରମ୍ଭ ହୋଇ ୮ ଫେବୃଆରୀରେ ଶେଷ ହୋଇଛି । ଏଥିରେ ମୋଟ ୫ କାର୍ଯ୍ୟକାରୀ ଦିବସ ଥିଲା । ଗୃହର ପ୍ରଥମ ଦିନରେ ଦଶ ଜଣଙ୍କ ଉଦେ୍ଧଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆସିଥିଲା । ଏଥି ମଧ୍ୟରୁ ୯ ଜଣ ପୂର୍ବତନ ବିଧାୟକ ଓ ଜଣେ ଶହୀଦ ସେନା କର୍ମଚାରୀ ଥିଲେ ।
୨୬୬ଟି ମୋଟ ତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣ କରା ଯାଇଥିଲା । ୩ଟି ପ୍ରଶ୍ନର ମୌଖିକ ଉତର ଉପସ୍ଥାପନ କରାଯାଇ ପାରିଥିଲା । ସେହିପରି ୪୦୭ଟି ଅଣତାରକା ଚିହ୍ନିତ ପ୍ରଶ୍ନର ନୋଟିସ ଗ୍ରହଣ କରା ଯାଇଥିଲା । ପୁରୁଣା ପ୍ରଶ୍ନକୁ ମିଶାଇ ମୋଟ ୪୩୭ଟି ପ୍ରଶ୍ନର ଉତର ଉପସ୍ଥାପନ କରା ଯାଇଥିଲା ।୧୫ଟି କାଗଜ ପୁନଃ ଉପସ୍ଥାପନ କରାଯାଇଥିଲା ବେଳେ ୧୪ଟି ବାର୍ଷିକ ରିପୋର୍ଟ ତଥା ୮ଟି କମିଟି ରିପୋର୍ଟ ଉପସ୍ଥାପନ କରା ଯାଇଥିଲା । ଗୋଟିଏ ସରକାରୀ ବିଧେୟକ ପ୍ରସ୍ଥାପନ ଓ ପାରିତ କରାଯାଇଥିବା ବେଳେ ଗୋଟିଏ ବିବରଣୀ ପ୍ରଦାନ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ୪ ତାରିଖରେ ରାଜ୍ୟପାଳ ଦେଇଥିବା ଅଭିଭାଷଣ ଉପରେ ୨ ଦିନ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ଉକ୍ତ ଆଲୋଚନା ହୋଇପାରିନଥିଲା ।
ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଏହି ସଂକ୍ଷିପ୍ତ ଅଧିବେଶନ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକଳନ କରାଯାଇଥିବା ବାର୍ଷିକ ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ୪ ମାସିଆ ଖର୍ଚ୍ଚ ପାଇଁ ଲେଖାଅନୁଦାନ ବଜେଟ୍ ଉପସ୍ଥାପନ କରାଯାଇଥିଲା ।