ରମେଶ ଜେନାଙ୍କ ଜାମିନ ମାମଲା,୧୪ରେ ଶୁଣାଣି

May 8, 2018 - 15:06
 182
ରମେଶ ଜେନାଙ୍କ ଜାମିନ ମାମଲା,୧୪ରେ ଶୁଣାଣି
କଟକ,୮ା୫(ସକାଳଖବର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ଡି ପି ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆବେଦନକାରୀଙ୍କ ନାଁରେ କେତେ ଅପରାଧିକ ମାମଲା ରହିଛି ସେ ନେଇ ସତ୍ୟପାଠ ଦାଖଲ ପାଇଁ ବ୍ରହ୍ମପୁର ବଡ଼ ବଜାର ଥାନା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର, ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ରହ୍ମପୁର ବଡ଼ ବଜାର ଥାନାରେ ଆବେଦନକାରୀଙ୍କ ନାଁରେ ଏହି ମାମଲା ୨୦୧୭ ମସିହାରେ ରୁଜୁ ହୋଇଥିଲା । ତେବେ ଯେତେବେଳେ ଏକ ଗଣ୍ଡଗୋଳ ମାମଲା ରୁଜୁ ହୋଇଥିଲା ସେ ସମୟରେ ଆବେଦନକାରୀଙ୍କ ନାମ ନଥିଲା । ପରବର୍ତ୍ତୀ ସମୟରେ ସାକ୍ଷୀମାନଙ୍କୁ ଧମକଚମକ ଦେବା ଅଭିଯୋଗରେ ପୁଲିସ ରମେଶଙ୍କ ନାମରେ ମାମଲା ରୁଜୁ କରିଥିଲା ।