ନବୀନଙ୍କ ବେଙ୍ଗାଲୁରୁ ଗସ୍ତକୁ ଏଭଳି କଟାକ୍ଷ କଲେ ସୁର

Sep 28, 2022 - 06:55
 46
ନବୀନଙ୍କ ବେଙ୍ଗାଲୁରୁ ଗସ୍ତକୁ ଏଭଳି କଟାକ୍ଷ କଲେ ସୁର
ଭୁବନେଶ୍ବର: ବେଙ୍ଗାଲୁରୁରେ ହେବ ଇନଭେଷ୍ଟର୍ସ ମିଟ୍ । ନିବେଶକାରୀଙ୍କ ସହ ହେବ ୱାନ ଟୁ ୱାନ ଆଲୋଚନା । ଆସିବ ପୁଞ୍ଜି, ବଢିବ ନିଯୁକ୍ତି, ସୁଦୃଢ ହେବ ଅର୍ଥନୀତି । ତେବେ ସରକାରଙ୍କ ଏଭଳି କାର୍ୟ୍ୟକ୍ରମକୁ ପ୍ରହସନ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ପାଲଟିଛି ଓଡ଼ିଶା । ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ ପରେ ଏବେ ବେଙ୍ଗାଲୁରୁ । ନିବେଶକାରୀଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ କଣ ସୁଯୋଗ ରହିଛି ତାହା ନିବେଶକାରୀଙ୍କୁ ବୁଝାଇେବେ ରାଜ୍ୟ ସରକାର । ଓଡ଼ିଶାରେ ବିଶେଷକରି ପର୍ୟ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ତାହା ମଧ୍ୟ ନିବେଶକାରୀଙ୍କୁ ଅବଗତ କରାଇବେ । ଦିଲ୍ଲୀ ସମ୍ମିଳନୀରେ ୨୭ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ ଉତ୍ସାହଜନକ ହେବା ପରେ ବେଙ୍ଗାଳୁରୁ ଆଜି ଓଡିଶା ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ଚେନ୍ନାଇ, କୋଲକାତା ଆଦି ସ୍ଥାନରେ ମଧ୍ୟ ଏହି ସମ୍ମିଳନୀ କରାଯିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ଖାଲି ସରକାର ରାଜକୋଷରୁ ଅର୍ଥ ନଷ୍ଟ କରୁଛନ୍ତି ବୋଲି ସୁର କହିଛନ୍ତି । ସେ କହିଛନ୍ତି, "କଂଗ୍ରେସ ଅମଳରେ ୧୦୦୦ ଦିନରେ ୧୦୦୦ ଶିଳ୍ପ କରିଥିଲା । ହେଲେ ଏବେ ନା ଅଛି ଶିଳ୍ପ କାରଖାନା ନା ମିଳୁଛି ନିଯୁକ୍ତି ।"