ଓଡ଼ିଶାରେ ବର୍ଷା ବଢ଼ିଛି, ଛତିଶଗଡ଼ରେ କମିଛି
କଟକ, ୧୫/୭(ସକାଳଖବର): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ବଙ୍ଗୋପସାଗର ପାଲଟିଛି ଦେବଦୂତ । ଉତ୍ତରପ୍ରଦେଶ, ଦିଲ୍ଲୀ, ଆସାମ, ଉତ୍ତର-ପୂର୍ବାଞ୍ଚଳ ଏପରିକି ଦକ୍ଷିଶ-ପଶ୍ଚିମ ମୌସୁମୀ ବାୟୁ ଭାରତୀୟ ଉପମହାଦେଶକୁ ସ୍ପର୍ଶ କରୁଥିବା କେରଳରେ ହାରାହାରି ବୃଷ୍ଟିପାତ ପରିମାଣ ପରିମାଣ ହ୍ରାସ ପାଉଥିବାବେଳେ ଉପରୋକ୍ତ ଦୁଇ ଉପକୂଳବର୍ତ୍ତି ରାଜ୍ୟରେ ବର୍ଷା ହାର ବୃଦ୍ଧି ପାଇଛି । ପ୍ରକୃତିର ଏହି ସୁଦୃଷ୍ଟି ୨ ରାଜ୍ୟ ପାଇଁ ଆଶ୍ୱସ୍ତର ବିଷୟ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦୀର୍ଘ ୧୦୦ ବର୍ଷର ବର୍ଷା ପରିମାଣକୁ ନେଇ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି । ଉତ୍ତରପ୍ରଦେଶ ଓ କେରଳରେ ମୌସୁମୀ ବର୍ଷା ପରିମାଣ ହ୍ରାସ ପାଇଥିବା ସ୍ପଷ୍ଟ ଜଣାପଡ଼ୁଛି । ବଙ୍ଗୋପସାଗର ଏବେ ସକ୍ରିୟ ରହିଛି । ଏଠାରେ ସୃଷ୍ଟି ହେଉଥିବା ଲଘୁଚାପ ବା ଘୁର୍ଣ୍ଣିବଳୟ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗକୁ ସ୍ପର୍ଶ କରୁଥିବାରୁ ଏସବୁ ଅଞ୍ଚଳର ବୃଷ୍ଟିପାତରେ ବିଶେଷ ଆଞ୍ଚ ଆସିନାହିଁ । ତେବେ ଏହାର ପ୍ରତିକୂଳ ପ୍ରଭାବ ପଡେ଼ାଶୀ ରାଜ୍ୟ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପରିଲକ୍ଷିତ ହେଉଥିବାରୁ ପାଣିପାଗ ବିଜ୍ଞାନୀ ଚିନ୍ତାବ୍ୟକ୍ତ କରିଛନ୍ତି । ସ୍ଥଳଭାଗରେ ଗତିଶୀଳ ଅବସ୍ଥାରେ ଲଘୁଚାପ ଅତିଶୀଘ୍ର ଦୁର୍ବଳ ହୋଇପଡ଼ୁଥିବାରୁ ଏଥିରୁ ଓଡ଼ିଶାର ଅନ୍ୟତମ ପଡେ଼ାଶୀ ରାଜ୍ୟ ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ବିଶେଷ ଉପକୃତ ହୋଇପାରୁ ନାହାଁନ୍ତି । ଏହି ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୧୯୬୧ ମସିହାରୁ ୨୦୧୩ ମସିହା ମଧ୍ୟରେ ଦେଶର ୮% ଅଞ୍ଚଳରେ ବର୍ଷା ପରିମାଣ ହ୍ରାସ ପାଇଛି । ଏହି କାରଣରୁ ଦେଶର ୨୫% ଅଞ୍ଚଳ ଭାବେ ପରିଗଣିତ ଗାଙ୍ଗେୟ ସମତଳ ଅଞ୍ଚଳର ୧୫୬ଟି ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।