ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

Jul 17, 2019 - 06:58
 165
ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର/ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ତାଙ୍କୁ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଆଜି ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିବା ବିଶ୍ୱଭୂଷଣ ବହୁ ବାର ମନ୍ତ୍ରୀପଦ ସମ୍ଭାଳିଛନ୍ତି। ସେ ୨ଥର ଜନତା ଓ ୩ଥର ବିଜେପି ଟିକେଟ୍‌ରୁ ବିଧାୟକ ଭାବେ ନିଯୁକ୍ତ ହୋଇଛନ୍ତି। ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ରାଜସ୍ୱ, ଆଇନ, ଖାଦ୍ୟ ଯୋଗାଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ସେ ଶିଳ୍ପ, ଆଇନ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ଓଡ଼ିଶାରେ ଜନସଂଘର ମୂଳଦୁଆ ପକାଇଥିବା ବିଶ୍ୱଭୂଷଣ ୧୯୮୦ରୁ ୮୮ ଯାଏଁ ୮ ବର୍ଷ ଧରି ରାଜ୍ୟ ବିଜେପି ସଭାପତି ଥିଲେ। ରାଜନୀତି ବ୍ୟତୀତ ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ଅର୍ପଣ କରିଥିଲେ। ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ବିଶ୍ୱଭୂଷଣ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୁ ସଂପର୍କ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।