ଝାଡଖଣ୍ଡରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

Aug 23, 2019 - 17:42
 115
ରାଂଚି, ୨୩/୮(ସକାଳଖବର): ଝାଡଖଣ୍ଡରେ ଆଜି ଏକ ଐତିହାସିକ ଦିନ କାରଣ ରାଜ୍ୟରେ ପରିବେଶ ସହଯୋଗୀ ପିଏନ୍ଜି ଏବଂ ସିଏନ୍ଜି ଗ୍ୟାସ୍ ପାଇବାର ଥିବା ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଝାଡଖଣ୍ଡର ରାଂଚି ଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଣର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱଚ୍ଛ ଇନ୍ଧନ ଯୋଗାଇବାରେ ଏହି ପାଇପଲାଇନ୍ ମହତ୍ୱପୂର୍ଣ୍ଣ ଭୂମିକା ନେବ ଏବଂ ପୂର୍ବ ଭାରତର ବିକାଶ ଦିଗରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ପୂର୍ବ ଭାରତ ବିକାଶ ବିନା ଯେ ଭାରତର ବିକାଶ ଅସମ୍ଭବ ଏହା ସୁନିଶ୍ଚିତ କରୁଛି ବୋଲି ସେ କହିଛନ୍ତି । ରାଂଚିରେ ୩ ହଜାର ଘରକୁ ପାଇପ ଜରିଆରେ ଗ୍ୟାସ୍ ପହଁଚୁଛି ଏବଂ ଖୁବ ଶୀଘ୍ର ଅଧିକରୁ ଅଧିକ ଘରକୁ ପାଇପଲାଇନ ଜରିଆରେ ଗ୍ୟାସ୍ ପହଁଚାଯିବ । ଆଗାମୀ ଦିନରେ ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଝାଡଖଣ୍ଡର ୧୩ଟି ଜିଲ୍ଲା ଯଥା ବୋକାର, ହଜାରିବାଗ, ରାମଗଡ, ବେସ୍ଟ୍ ସିଂହଭୂମ, ପଲାମୁ, ସରାୟକେଲା, ରାଂଚି, କୋଡରମା ଏବଂ ଦେବଘର ଅଂଚଳରେ ପାଇପଲାଇନ ଜରିଆରେ ଗ୍ୟାସ ପହଁଚିବ । ସେହିଭଳି ଝାଡଖଣ୍ଡରେ ୨୫୦ ସିଏନ୍ଜି ଷ୍ଟେସନ୍ ଆରମ୍ଭ କରାଯିବ । ଆଜି ଦେଶରେ ୧୬ ହଜାର ୫୦୦ କିମିରୁ ଅଧିକ ଗ୍ୟାସ୍ ପାଇପଲାଇନ ନେଟୱାର୍କ ରହିଛି । ଉର୍ଜା ଗଙ୍ଗାର ବିସ୍ତାର ପୂର୍ବ ଭାରତର ବିହାର, ଝାଡଖଣ୍ଡ, ଉତରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ଯାଏଁ ହେବ । ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ । ତନ୍ମଧ୍ୟରୁ ୫୭୦ କିମିର ନେଟୱାର୍କ ଝାଡଖଣ୍ଡର ଭିନ୍ନ ଭିନ୍ନ ଜିଲ୍ଲାରୁ ଗତି କରିବ । ପ୍ରାକୃତିକ ପାଇପ୍ ଗ୍ୟାସ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ଯୋଗାଣ ଫଳରେ ଝାଡଖଣ୍ଡବାସୀ ଲାଭବାନ ହେବେ । ଏହି ପରିବେଶ ସହଯୋଗୀ ଇନ୍ଧନ ରାଂଚିରେ ଗ୍ୟାସ ଆଧାରିତ ଉଦ୍ୟୋଗ ସମୂହ ନିର୍ମାଣ କରିବାରେ ସାହାଯ୍ୟ କରିବା ସହ ଯୁବକଙ୍କୁ ରୋଜଗାର ଦେବାର ଅବସର ପ୍ରଦାନ କରିବ ଏବଂ ପରିବେଶ ପ୍ରଦୂଷଣକୁ ହ୍ରାସ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଗଦର୍ଶନ ଏବଂ ରଘୁବର ଦାସଙ୍କ ନେତୃତ୍ୱରେ ଝାଡଖଣ୍ଡର ବିକାଶରେ ଏକ ନୂଆ ସକାଳର ଆରମ୍ଭ ହେବ ଏବଂ ଦେଶର ଶିଳ୍ପ ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟକୁ ଇଞ୍ଜିନ ଭାବେ ପ୍ରତିଷ୍ଠା କରିବା ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।