ରେଳବାଇ ଓ ଗେଲ୍ ମଧ୍ୟରେ ବୁଝାମଣା
ଭୁବନେଶ୍ୱର,୩୧/୮ (ସକାଳଖବର): ଭାରତୀୟ ରେଳବାଇର ୱାର୍କସପ୍, ପ୍ରଡକ୍ସନ ୟୁନିଟ ଏବଂ ଗୋଦାମ ଗୁଡ଼ିକରେ ଏବେ ଡିଜୋଲଭଡ ଏସିଟିଲିନ୍, ଏଲପିଜି, ବିଏମସିଜି, ଫର୍ଣ୍ଣେସ ଅଏଲ୍, ହାଇସ୍ପିଡ୍ ଡିଜେଲ ପରିବର୍ତେ ପରିବେଶ ଅନୁକୂଳ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବ । ଏଥିପାଇଁ ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି ଭାରତୀୟ ରେଳବାଇ ଓ ଗେଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଲାଗି ମୌଳିକ ଭତିଭୂମି ସୁବିଧା ଗେଲ୍ ଯୋଗାଇ ଦେବ । ଏହି ଅବସରରେ ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱନୀ ଲୋହାନୀ ଓ ଗେଲର ସିଏମ୍ଡି ବି.ସି. ତ୍ରିପାଠୀ ଉପସ୍ଥିତ ଥିଲେ ।
ଚୁକ୍ତିନାମାରେ ଭାରତୀୟ ରେଳବାଇ ପକ୍ଷରୁ ଇଣ୍ଡିଆନ ରେଲୱେ ଅର୍ଗାନାଇଜେସନ ଫର ଅଲଟରନେଟ ଫୁଏଲ୍ସର ଶ୍ରୀ ଚେତରାମ ଏବଂ ଗେଲ୍ ଇଣ୍ଡିଆ ପକ୍ଷରୁ ନିଦେ୍ର୍ଧଶକ (ମାର୍କେଟିଙ୍ଗ) ଗଜେନ୍ଦ୍ର ସିଂ ସ୍ୱାକ୍ଷର କରିଥିଲେ ।
ଭାରତୀୟ ରେଳବାଇକୁ ଉଭୟ ଔଦ୍ୟୋଗିକ ଓ ଘରୋଇ ବ୍ୟବହାର ପାଇଁ ସିଏନଜି/ଏଲ୍ଏନଜି/ପିଏନଜି ଯୋଗାଣ ସହ ଏଥି ସକାଶେ ମୌଳିକ ଭିତିଭୂମି ଗେଲ୍ ପ୍ରସ୍ତୁତ କରିବ । ରେଲୱେରେ ଥିବା ମୋଟ ୫୪ଟ୍ୱାର୍କସପ୍ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୩ଟିରେ ଔଦ୍ୟୋଗିକ ଗ୍ୟାସ୍ ପରିବର୍ତେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ପାଇଁ ଚିହ୍ନଟ କରାଯାଇଛି । ଘରୋଇ ବ୍ୟବହାର ପାଇଁ ଭୁବନେଶ୍ୱରର ରେଲୱେ କଲୋନିରେ ପ୍ରାୟ ୧୧୦୦ ଘରକୁ ଡି-ପିଏନ୍ଜି ଯୋଗାଣ ହେଉଛି ।
ରେଳବାଇରେ ବାର୍ଷିକ ବ୍ୟବହାର ହେଉଥିବା ପ୍ରାୟ ୮୪୪୦୨୭ କୁ୍ୟବିକ୍ ମିଟର ଏସିଟିଲିନ୍, ୨୩୫୪୪୨୫ କି.ଗ୍ରା. ଏଲପିଜି, ୧୪୦୯୯୧ କି.ଗ୍ରା. ବିଏମସିଜି, ୫୫୦୦ କିଲୋଲିଟର ଏଚଏସଡି/ଫର୍ଣ୍ଣେସ୍ ଅଏଲ୍ (ମୋଟ ୭୦ କୋଟି ଟଙ୍କା) ବଦଳରେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରାଯିବାର ପ୍ରସ୍ତାବ ରହିଛି । ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଦ୍ୱାରା ରେଳବାଇର ବାର୍ଷିକ ୨୦ କୋଟି ଟଙ୍କା ସଂଚୟ ହୋଇପାରିବ ।
ଏହି ଅବସରରେ ରେଲୱେ ବୋର୍ଡ ଚେୟାରମ୍ୟାନ୍ ଅଶ୍ୱନୀ ଲୋହାନୀ କହିଥିଲେ ଯେ, ୨୦୧୮ ଡିସେମ୍ବର ୩୧ ତାରିଖ ସୁଦ୍ଧା ୨୩ଟି ୱାର୍କସପ୍ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଆରମ୍ଭ କରିବେ । ୨୦୧୯ ଜୁନ୍ ୩୦ ତାରିଖ ସୁଦ୍ଧା ସମସ୍ତ ୫୪ଟି ୱାର୍କସପ୍ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରିବାର ଲକ୍ଷ୍ୟ ରହିଛି । ସେହିପରି ରେଲୱେର ସମସ୍ତ ଏଷ୍ଟାବ୍ଲିସ୍ମେଂଟ, ଆଇଆରସିଟିସି କିଚେନ୍, ସମସ୍ତ ଗେଷ୍ଟ ହାଉସ୍, ଛାତ୍ରାବାସ ଏବଂ ରେଲୱେ ଡିଭିଜନ ଗୁଡ଼ିକ ୨୦୧୯ ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ୨୦୧୮ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୱାର୍କସପ୍ ଗୁଡ଼ିକରେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ପାଇଁ ଗେଲ୍ ଓ ଆଇଆରଓଏଏଫ୍ ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ସେ କହିଥିଲେ ।