ଭିନ୍ନକ୍ଷମଙ୍କ ବିକାଶ ପାଇଁ ରାଜ୍ୟସରକାର ଓ ସାଇଟ୍ ସେଭର୍ସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୂବନେଶ୍ୱର, ୨୫/୦୭ (ସକାଳଖବର): ଭିନ୍ନକ୍ଷମ ମାନଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଏବଂ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ସମାବେଶିତ ଚକ୍ଷୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ନିମିତ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସାଇଟସେଭର୍ସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ବୁଧବାର ସଚିବାଳୟ ଠାରେ ଅନୁଷ୍ଠିତ ଏକ ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ , ଏମଏସଏମଇ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ , ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସେଚିବ ନିତେନ୍ ଚନ୍ଦ୍ରା ଙ୍କ ଉପସ୍ଥିତିରେ ବିଭାଗୀୟ ନିଦେ୍ର୍ଧଶକ କୈଳାଶ ଚନ୍ଦ୍ର ସାହୁ ଓ ସାଇଟସେଭର୍ସ ପକ୍ଷର ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି ଉକ୍ତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ଓଡିଶାର ୧୨ ଟି ଜିଲ୍ଲାର ୨୫୦ ଗ୍ରାମପଂଚାୟତରେ ଥିବା ୩ ଲକ୍ଷ ଭିନ୍ନକ୍ଷମ ଯୁବକ ଓ ଯୁବତୀଙ୍କ ଶିକ୍ଷାା , ପ୍ରଶିକ୍ଷଣ , ଦକ୍ଷତା ବିକାଶ ତାଲିମ ଓ ନିଯୁକ୍ତିର ସୁବିଧା ପାଇ ପାରିବେ । ଏହାସହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବୃଦ୍ଧ ବୃଦ୍ଧା , ଶାରିରୀକ ଭିନ୍ନକ୍ଷମ ଓ ଗରିବ , ବିଧବା ମହିଳା ତଥା କିନ୍ନରମାନେ ମାଗଣାରେ ଚକ୍ଷୁ ସ୍ୱାସ୍ଥ୍ୟସେବାର ସୁଯୋଗ ଲାଭ କରିବେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଇଟ୍ ସେଭର୍ସର ରାଜ୍ୟ କାର୍ଯ୍ୟକ୍ରମ ପ୍ରବନ୍ଧକ ଆକବର ମେହଫୁଜ୍ ଆଲମ୍ ଓ ରାଜ୍ୟ ପ୍ରକଳ୍ପ ଅଧିକାରୀ ଜଗନ୍ନାଥ ନାୟକ , ବିଭାଗୀୟ ଯୁଗ୍ମ ଶାସନ ସଚିବ ମଧୁମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।