ଗୁପ୍ତେଶ୍ୱର ପୀଠରେ କାଉଡ଼ିଆଙ୍କ ସମାଗମ

Aug 13, 2019 - 06:10
 112
ଜୟପୁର, ୧୨/୮ (ସକାଳଖବର): ଶ୍ରାବଣ ଶେଷ ସୋମବାର ଗୁପ୍ତେଶ୍ୱର ପୀଠରେ ୫୦ ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଛି । ହାତରେ କାଉଡି ସହ ଦେହରେ ଗେରୁଆ ବସ୍ତ୍ର ତୁଣ୍ଡରେ ହର ହର ମହାଦେବ ନାମ ପୀଠକୁ ମୁଖରିତ କରିଛି । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଏହି କାଉଡି ଯାତ୍ରାରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ଜୟପୁରରୁ ୬୪ କି.ମି. ଦୂରରେ ରହିଛି ଗୁପ୍ତେଶ୍ୱର ପୀଠ । ଭକ୍ତ ମାନେ ଜୟପୁରରୁ ୧୨ କି.ମି. ଦୂର କୋଲାବ ନଦୀ ନିକଟରେ ପହଂଚି ସେଠାରେ ସ୍ନାନ କରି ଜଳ ନେଇ ଗୁପ୍ତେଶ୍ୱର ଅଭିମୁଖେ ଯାତ୍ରା କରନ୍ତି । ଗୁପ୍ତେଶ୍ୱରରେ ପହଂଚି ପୁଣି ଶାବେରି ନଦୀରେ ସ୍ନାନ କରି ଗୁପ୍ତେଶ୍ୱରଙ୍କ ଉପରେ ପାଣି ଚଢାନ୍ତି । ଲମ୍ବା ଧାଡିରେ କାଉଡିଆ ମାନେ ପ୍ରଭୁ ଗୁପ୍ତେଶ୍ୱରଙ୍କୁ ଦର୍ଶନ କରୁଥିବା ଲକ୍ଷ୍ୟ କରାଯାଇଛି । ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁଁ ଡକରା ଡକରି ଘାଟି ଠାରୁ ଟ୍ରାଫିକ୍ ଜାମ୍ ହୋଇଛି । ବୋଲ ବୋମ ଭକ୍ତ ମାନଙ୍କୁ ସେବା କଲେ ମଧ୍ୟ ବହୁ ପୁଣ୍ୟ ମିଳିଥାଏ । ଏହି ବିଶ୍ୱାସ କୁ ଆଧାର କରି ଗୁପ୍ତେଶ୍ୱର ଯିବା ବାଟରେ ଭକ୍ତ ମାନଙ୍କୁ ବିଭିନ୍ନ ସଂଗଠନ ସହ ଅନ୍ୟ ମାନେ ସେବା ଯୋଗାଇଦେବା ସହ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ । ଲମ୍ବା ଧାଡିରେ ଭକ୍ତ ମାନେ ଠିଆ ହୋଇ ଗୁମ୍ପା ଭିତରେ ପ୍ରବେଶ କରି ଗୁପ୍ତେଶ୍ୱରଙ୍କ ଉପରେ ପାଣି ଢାଳିଥିବା ଲକ୍ଷ୍ୟ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଶାବେରି ନଦୀ ନିକଟରେ ଜୟପୁର ଦମକଳ ବାହିନୀ ମୂତୟନ ଥିଲେ ।