ସେନା ସବୁ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ : ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୮/୭(ସକାଳଖବର): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହିତ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ପୃଥକ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେବା ଫଳରେ ଗତ ୭୦ ବର୍ଷ ଧରି ଲୋକମାନେ ଭୋଗୁଥିବା ଭେଦଭାବ ଦୂର ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପ୍ରକାଶ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ଇନଷ୍ଟିଚୁ୍ୟଟ ଅଫ ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆନାଲିସିସ (ଆଇଡିଏସଏ)ର ବାର୍ଷିକ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ଶ୍ରୀ ରାଜନାଥ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଏହି ପ୍ରସଙ୍ଗର ସ୍ଥାୟୀ ସମାଧାନ ଖୋଜିବା ଲାଗି ପ୍ରାରମ୍ଭିକ ପ୍ରସ୍ତୁତି କରାଯାଇଥିଲା । ଏହି ନିଷ୍ପତିର କିଛି ପ୍ରଭାବ ରହିବ । ସେ କହିଥିଲେ ଯେ ପଡେ଼ାଶୀ ଦେଶ ଏଥିରେ ଖୁସି ନାହିଁ ଏବଂ ଶାନ୍ତି ଭଙ୍ଗ କରିବା ଲାଗି ପ୍ରୟାସ କରୁଛି । ଆମ ସେନା ସୁରକ୍ଷା ଆହ୍ୱାନକୁ ଗ୍ରହଣ କରିନେଇଛି ଏବଂ ଯେକୌଣସି ପ୍ରକାର ବିପଦର ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।
ଶ୍ରୀ ରାଜନାଥ ସିଂ ଆଇଡିଏସଏକୁ ସାବଧାନତାପୂର୍ବକ ଏବଂ ପାଂଚଟି ଦିଗରୁ ବିଶ୍ଳେଷଣ କରିବା ଲାଗି ଆହ୍ୱାନ କରିଥିଲେ । କାରଣ ଭୂମି, ବାୟୁ ଏବଂ ସମୁଦ୍ରରୁ ପାରମ୍ପରିକ ବିପଦ ବ୍ୟତୀତ ସାଇବର ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ନୂତନ ବିପଦ ସାମ୍ନାକୁ ଆସିଛି । ସେ ଏହି ପରାମର୍ଶ ମଧ୍ୟ ଦେଇଥିଲେ ଯେ ଆଇଡିଏସଏ ପ୍ରତିରକ୍ଷା ବାଣିଜ୍ୟ ଆମଦାନୀ ପ୍ରକ୍ରିୟାର ଅଧ୍ୟୟନ ଆହୁରି ଶୀଘ୍ର କରିପାରିବ ।
ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ସରକାର ପଡେ଼ାଶୀ ପ୍ରଥମେ ନୀତି ଆପଣାଇଥିଲେ, ଯାହା ଆମ ପଡେ଼ାଶୀ ଦେଶ ସହିତ ଭାରତକୁ ଲାଗିଥିବା ଭୂମି ଏବଂ ସାମୁଦ୍ରିକ ସୀମାକୁ ପ୍ରତିପାଦିତ କରୁଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ମାଳଦ୍ୱୀପକୁ ତାଙ୍କର ପ୍ରଥମ ଯାତ୍ରା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଜାମ୍ବିକ ଯାତ୍ରା ସମୟରେ ଏହାର ବିଶେଷ ପ୍ରଭାବ ପଡ଼ିଥିଲା ।
ଆଇଡିଏସଏର କାର୍ଯ୍ୟକାରୀ ପରିଷଦ ଶ୍ରୀ ରାଜନାଥ ସିଂଙ୍କୁ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷ ଭାବେ ଚୟନ କରିଥିଲା । ଆଇଡିଏସଏର ମହାନିଦେ୍ର୍ଧଶକ ଶ୍ରୀ ସୁଜାନ ଆର. ଚିନଏ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଆଇଡିଏସଏର ଭୂମିକା ଓ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ ।