କାମଚଳା ବଜେଟରେ ରାଜ୍ୟବାସୀଙ୍କ ପାଇଁ କିଛି ନାହିଁ: ନିରଂଜନ

Feb 7, 2019 - 18:59
 202
କାମଚଳା ବଜେଟରେ ରାଜ୍ୟବାସୀଙ୍କ ପାଇଁ କିଛି ନାହିଁ: ନିରଂଜନ
ଭୁବନେଶ୍ୱର,୭/୨(ସକାଳଖବର): ଗୁରୁବାର ସଂଧ୍ୟାରେ ରାଜ୍ୟ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ ଆଗତ କରାଯାଇଛି । ତେବେ ଏଥିରେ କିଛି ନୂତନ ଯୋଜନା ନାହିଁ । ଏଥିରେ ରାଜ୍ୟର ବାସ୍ତବ ଚିତ୍ର ଉପସ୍ଥାପନ କରାଯିବା ପରିବର୍ତେ କିଛି ଭୁଲ ତଥ୍ୟ ଦିଆଯାଇ ନିର୍ବାଚନ ବୈତରଣୀ ପାର ହେବାକୁ ବିଜୁ ଜନତା ଦଳ ସରକାର ଚେଷ୍ଟା କରିଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟନାୟକ କହିଛନ୍ତି । କାମଚଳା ବଜେଟ ଉପରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ପଟନାୟକ କହିଛନ୍ତି, ରାଜ୍ୟ ସରକାର ନିଜ ପାଖରେ ଅର୍ଥ ନଥାଇ କାଳିଆ, ପିଠା, ଭଳି ବହୁ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି । ତାହାସହିତ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ବିଜେଡି ସରକାର ବିଜୁ ଯୁବ ବାହିନୀ ନାମରେ ଏକ ସଂଗଠନ ଗଠନ କରି ସେଥିରେ ସରକାରୀ ଅର୍ଥର ଅପଚୟ କରିବା ଆରମ୍ଭ କରିଛନ୍ତି । ଏଥିରେ ସାମିଲ ହେଉଥିବା ଯୁବଗୋଷ୍ଠୀଙ୍କର ଭବିଷ୍ୟତ କ’ଣ ତାହା କେହି ଜାଣନ୍ତି ନାହିଁ । ବିଜୁ ଯୁବ ବାହିନୀ ପାଇଁ ଏହି କାମଚଳା ବଜେଟରେ ୧୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଥମ ଚାରିମାସ ପାଇଁ ମୋଟ ୫୬,୯୨୧ କୋଟି ଟଙ୍କାର ଲେଖାନୁଦାନ ବିଧାନସଭାରେ ଆଗତ କରାଯାଇଥିବାବେଳେ ସେଥିମଧ୍ୟରେ କର୍ମଚାରୀଙ୍କ ଦରମା ବାବଦରେ ୨୫,୫୦୦ କୋଟି ଏବଂ ପେନସନ, ଭତା ବାବଦରେ ୧୩,୩୩୦ କୋଟି ଟଙ୍କା ରହିଛି । ତେଣୁ ମୋଟ ବ୍ୟୟ ବରାଦର ପାଖାପାଖି ଅଦେ୍ର୍ଧକ କେବଳ ଦରମା ଓ ପେନସନରେ ଯିବ । ତାହାସହିତ ଋଣ ପରିଶୋଧ ବାବଦରେ ୬୫୦୦ କୋଟି ଟଙ୍କା ଦିଆଯିବ । ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ରାଜ୍ୟ କୃଷି କ୍ଷେତ୍ରରେ ଉତମ ପ୍ରଦର୍ଶନ କରୁଥିବା ଏବଂ ୫ଥର କୃଷି କର୍ମଣ ପୁରସ୍କାର ପାଇଥିବା ଉଲ୍ଲେଖ କରିଛନ୍ତି । କିନ୍ତୁ ରାଜ୍ୟରେ କାହିଁକି ଜଣକ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଛନ୍ତି, ତାହାର ଏକ ବିବରଣୀ ଉପସ୍ଥାପନ କରିବା ଆବଶ୍ୟକ । ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଶିକ୍ଷା ନିମନ୍ତେ ସେମାନଙ୍କୁ ଛାତ୍ରବାସରେ ରଖି ପାଠପଢାଇବାର ବ୍ୟବସ୍ଥା କରାଯାଉଛି । ଅଥଚ ଜଣକ ପର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛନ୍ତି । ଏଠି ସମୁଦାୟ ବ୍ୟବସ୍ଥା ଶୋଚନୀୟ ଭାବେ ବିଫଳ ହୋଇଛି । ଅର୍ଥମନ୍ତ୍ରୀ କହିଲେ, ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ବର୍ଷକୁ ଦୁଇଥର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେଥିପାଇଁ ୪୪୬୧ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖାଯାଇଛି । ତେବେ ଏହି ଅର୍ଥ ପ୍ରକୃତ ଚାଷୀଙ୍କ ନିକଟକୁ ଯିବ କି ବୋଲି ନିରଂଜନ ପ୍ରଶ୍ନ କରିଛନ୍ତି । ପାଂଚବର୍ଷରେ ଜଣେ ଚାଷୀ ୨୫ ହଜାର ଟଙ୍କା ସହାୟତା ପାଇଲେ ତାହାର ଆର୍ଥିକ ସ୍ଥିତି ସୁଧୁରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେଡି ସରକାର ଗ୍ରାମାଂଚଳରେ ୨୦ ଲକ୍ଷ ପକ୍କାଘର ଯୋଗାଇଥିବା କାମଚଳା ବଜେଟରେ ଉଲ୍ଲେଖ କରିଛନ୍ତି । ତାହାସତ୍ୱେ ଶହ ଶହ ପରିବାର ଭଙ୍ଗା ଝାଟିମାଟି ଘର ଓ ପଲିଥିନ ତଳେ କିଭଳି ରହୁଛନ୍ତି ବୋଲି ପିସିସି ସଭାପତି ପ୍ରଶ୍ନ କରିବା ସହିତ ଏହା କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଧିଷ୍ଟ ବୋଲି କହିଛନ୍ତି ।