ଭଦ୍ରକରେ ମାଧବାନନ୍ଦ ପଦ୍ମଫୁଲକୁ କେତେ ବିକଶିତ କରାଇବେ!

Nov 20, 2018 - 19:01
 221
ଭଦ୍ରକରେ ମାଧବାନନ୍ଦ ପଦ୍ମଫୁଲକୁ କେତେ ବିକଶିତ କରାଇବେ!
ଭଦ୍ରକ, ୨୦/୧୧ (ସକାଳଖବର): ଭଦ୍ରକ ଜିଲାକୁ ଗତ ଦୁଇ ଦଶନ୍ଧି ଧରି ଶଙ୍ଖ ଦଳ କବ୍ଜା କରି ରଖିଛି । ୨୦୦୦ ମସିହା ଠାରୁ ଆଜିପର୍ଯ୍ୟନ୍ତ ଭଦ୍ରକରେ ଶଙ୍ଖ ଛଡା ହାତ କି ପଦ୍ମର ବାସ୍ନା ବି ନାହିଁ । କେବଳ ଗତ ୨୦୦୦ ରୁ ୨୦୦୪ ଓ ୨୦୦୪ ରୁ ୨୦୦୯ ଦୁଇ ଟର୍ମ ଶଙ୍ଖ-ପଦ୍ମ ମେଂଟ ରାଜନୀତିରେ ଚାନ୍ଦବାଲିରୁ ଥରେ ବିଷ୍ଣୁ ସେଠୀ ପଦ୍ମ ଦଳରୁ ବିଧାୟକ ହୋଇଥିବାବେଳେ ଧାମନଗରରୁ ଥରେ ମନମୋହନ ସାମଲ ବିଧାୟକ ହୋଇ ମନ୍ତ୍ରୀ ପଦ ହାତେଇଥିଲେ । ଏତିକିରୁ ଭଦ୍ରକ ରାଜନୀତିରୁ ବିଜେପିର ଡୋରୀ ବନ୍ଧା ହୋଇଛି । ୨୦୦୯ ଓ ୨୦୧୪ ଦୁଇ ଟର୍ମର ସାଧାରଣ ନିର୍ବାଚନରେ ଶଙ୍ଖ-ପଦ୍ମ ମେଂଟ ରାଜନୀତିରେ ଭଟ୍ଟା ପଡିଲା । ଭଦ୍ରକରେ ୨୦୦୯ ରୁ ୨୦୧୪, ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଏବେ କ୍ଷମତାର ଡୋରୀ ରହିଛି ବିଜେଡି ହାତରେ । ଆଗାମୀ ନିର୍ବାଚନରେ ଦଳକୁ ଟିକେ ଅଧିକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି । ବିରୋଧୀମାନେ ପୂର୍ବଠାରୁ ଅଧିକ ଶକ୍ତିଶାଳୀ ହେଉଛନ୍ତି । ଏପରିକି ବିଜେଡିକୁ ପରାହତ କରି ଆଗାମୀ ନିର୍ବାଚନରେ ରାଜ୍ୟରେ ୧୨୦ ସିଟ୍ ନେଇ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ବିଜେପିର କେନ୍ଦ୍ରୀୟ ମୁଣ୍ଡିଆଳମାନେ ଭାଷଣ ଦେଇ ରାଜ୍ୟରେ ଚକ୍ମା ଦେଖାଇଯାଉଛନ୍ତି । ଏଇ କେନ୍ଦ୍ରୀୟ ହାୱାରେ ରାଜ୍ୟରେ କିଛି ସ୍ଥାନରେ ବିଜେପି ତାର ନିଜସ୍ୱ ସ୍ଥିତି ପରଖି ସାରିବା ପରେ ନିଜ ସୈନ୍ୟ ସାମନ୍ତଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହୋଇ ହେବ ନାହିଁ ବୋଲି ଅଙ୍କକଷି ସାରିଲେଣି । ତେଣୁ ବିଜେପି ଏବେ ନୂଆ ଫର୍ମୁଲା ଆପ୍ଲାଏ କରିଛି । ଅନ୍ୟ ଦଳରୁ ଟାଣୁଆ ନେତାଙ୍କୁ ଆଣି ଆଗାମୀ ୨୦୧୯ ରାଜନୈତିକ ମଇଦାନରେ ସଂଗ୍ରାମ କରିବ ବୋଲି ଯୋଜନା ପ୍ରସ୍ତୁତ କରିଛି । ଏଇ ଯୋଜନା ଏବେ ବାଲେଶ୍ୱର ଜିଲାର ସିମୁଳିଆ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ଟାଣୁଆ ନେତା ପଦ୍ମଲୋଚନ ପଣ୍ଡାକୁ ବିଜେପିକୁ ନେଇ ପଦ୍ମ ଫୁଲ ଧରାଇ ଦିଆଯାଇଥିବାବେଳେ ପଦ୍ମଲୋଚନ ଏବେ ହାତ କର୍ମୀଙ୍କୁ କରଛଡା ଦେଇ ସିମୁଳିଆରେ ପଦ୍ମ ଦଳ ସହ ସାମିଲ ହୋଇଛନ୍ତି । ଏହାର କିଛିଦିନ ପରେ ଭଦ୍ରକ ଜିଲାର ବାସୁଦେବପୁର ନର୍ବାଚନ ମଣ୍ଡଳୀରେ ବିଜେପି ଜାଲ ବିଛାଇଲେ । କଂଗ୍ରେସର ଟାଣୁଆ ନେତା ମାଧବାନନ୍ଦ ମଲ୍ଲିକଙ୍କୁ ପଦ୍ମଫୁଲ ଧରାଇଦେଲେ । ମାଧବାବୁ ମଧ୍ୟ ସେଦିନ ନିଜର ମିଶ୍ରଣ ସଭାରେ ଭାବବିହ୍ୱଳ ହୋଇ କହିଥିଲେ ଯେ ସେ ୪୦ ବର୍ଷର କଂଗ୍ରେସ ଦଳ ଓ କର୍ମୀଙ୍କ ସହ ଥିବା ନିବିଡ ସଂପର୍କ ଛିନ୍ନ କରି ବିଜେପିରେ ମିଶୁଛନ୍ତି । ମାଧବାନନ୍ଦ ଏବେ ବାସୁଦେବପୁରରେ ପଦ୍ମଫୁଲ ଧରିବା ପରେ ତାଙ୍କ ସହ ୪୦ ବର୍ଷ ଧରି ଯେଉଁମାନେ ସଂପର୍କ ଯୋଡିଥିଲେ । ସେମାନେ କିନ୍ତୁ ସେଦିନ ସେ ସଭାକୁ ଗଲେନାହିଁ । କାରଣ ମାଧଙ୍କ ମିଶ୍ରଣ ସଭାକୁ କଂଗ୍ରେସର ଅଧିକାଂଶ କର୍ମୀ ଓ ନେତା ନାପସନ୍ଦ କରିଥିଲେ । ଏବେ ପ୍ରଶ୍ନ ଉଠୁଛି ମାଧବାବୁ ବିଜେପିକୁ ଗଲାପରେ କାହାର କେତେ ଲାଭ ହୋଇଛି । କାହାର କେତେ କ୍ଷତି ହୋଇଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୧୯୯୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଲଗାତର ଭାବେ ୬ଥର ବିଜୟଶ୍ରୀ ରାଉତରାୟ ବିଜୟୀ ହୋଇ ଆସୁଛନ୍ତି । ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ବନିଯାଇଥିବାବେଳେ ଗତ ୧୪ ନିର୍ବାଚନରେ ବିଜୟଶ୍ରୀ କଂଗ୍ରେସର ମାଧବାନନ୍ଦଙ୍କୁ ପରାସ୍ତ କରିଥିଲେ । ଏଠାରେ ଲଢେଇ ହୁଏ କଂଗ୍ରେସ ଓ ବିଜେଡି ଭିତରେ । ବିଜେପିର ସ୍ଥାନ ଏଠାରେ ସବୁବେଳେ ତୃତୀୟ ସ୍ଥାନରେ ରହି ଆସୁଛି । ମାଧଙ୍କୁ ବିଜେପିରେ ମିଶ୍ରଣ କରାଯିବା ପରେ ବିଜେପି ଏବେ ତାର ରାଜନୈତିକ ଅଙ୍କ କଷିବା ଆରମ୍ଭ କରିଛି । ମାଧବାନନ୍ଦ କଂଗ୍ରେସରେ ପ୍ରାର୍ଥୀ ହୋଇ ଯେଉଁ ଭୋଟ୍ ପାଉଥିଲେ, ସେଇ ଭୋଟ୍ କଣ ବିଜେପିରେ ଠିଆ ହୋଇପାଇବେ କି । ସବୁ କଂଗ୍ରେସ ଭୋଟର କଣ ମାଧବାନନ୍ଦ ପାଇଁ ବିଜେପି ଆଡକୁ ଢଳିଯିବେ କି । ବିଜେପିର ପୁରୁଣା ନେତା ଓ କର୍ମୀ ସବୁ କଣ ମାଧବଙ୍କୁ ନିଜର ନେତା ଭାବେ ଗ୍ରହଣ କରିନେବେ କି । ମାଧ ବାବୁ ବିଜେପିକୁ ଯିବା ପରେ ବିଜେଡି ଏଠାରେ ଅଧିକ ଶକ୍ତିଶାଳୀ ହୋଇଯିବ କି । ବିଜୟଶ୍ରୀଙ୍କ ପୁଅ ବିଷ୍ଣୁବ୍ରତଙ୍କ ପାଇଁ ଆଗାମୀ ନିର୍ବାଚନ ଜିତିବା ଅଧିକ ସହଜ ନା ଅଧିକ ସମସ୍ୟା ସୃଷ୍ଟି କରିବ । ତାହା ଉପରେ ହେଉଛି ଆଲୋଚନା । ଜିଲା କଂଗ୍ରେସ ସଭାପତି ଅଶୋକ ଦାସ ଦଳୀୟ ଟିକଟ ପାଇଲେ କଂଗ୍ରେସ ଜିତିବ ନା ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହିବ, ତାହାକୁ ନେଇ ହେଉଛି ରାଜନୈତିକ ମହଲରେ ଆଲୋଚନା । ତେବେ ମାଧ କଂଗ୍ରେସ ଛାଡିବା ପରେ ବିଜେପିରେ ଯେଉଁ ମାହୋଲ ସୃଷ୍ଟି ହେବା କଥା, ତାହା ହୋଇପାରୁନାହିଁ । ମାଧ ଏବେ ବିଜେପିକୁ କେତେ ସାଥ୍ ଦେବେ, ତାହାକୁ ନେଇ ଚାଲିଛି ଭଦ୍ରକ ରାଜନୀତିରେ ଚର୍ଚ୍ଚା ।