ଜି ଉଦୟଗିରି ବିଧାୟକ ପଦରୁ ଜାକବ ପ୍ରଧାନଙ୍କ ଇସ୍ତଫା

Mar 29, 2019 - 05:59
 151
କନ୍ଧମାଳ,୨୮/୩(ସକାଳଖବର): ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଦଳର ବିଧାୟକ ଜାକବ ପ୍ରଧାନ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ଓଡିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ତାଙ୍କ ବୈାଦ୍ଧସ୍ଥିତ ବାସଭବନରେ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ପତ୍ରକୁ ବାଚସ୍ପତି ଶ୍ରୀ ଅମାତ ଗ୍ରହଣ କରିଛନ୍ତି । ଇସ୍ତଫାପତ୍ର ପ୍ରଦାନ ପରେ ଶ୍ରୀ ପ୍ରଧାନ ଗଣ ମାଧ୍ୟମକୁ କହିଛନ୍ତି ଯେ,୨୦୧୪ ନିର୍ବାଚନ ସମୟରେ ସମଗ୍ର ଓଡିଶାରେ କଂଗ୍ରେସର ବିପର୍ଯ୍ୟୟ ସମୟରେ ସେ ଦଶ ହଜାରରୁ ଅଧିକ ଭୋଟରେ ବିଜୟ ଲାଭକରି କଂଗ୍ରେସର ମର୍ଯ୍ୟାଦା ରକ୍ଷା କରିଥିଲେ । ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ଦଳର ମର୍ଯ୍ୟାଦା ରକ୍ଷା କରିବାପାଇଁ ଦୀର୍ଘ ପାଞ୍ଚ ବର୍ଷ ହେବ ବହୁ କଷ୍ଟ କରି ସଂଗଠନ କରିଥିଲି ବୋଲି କହିଛନ୍ତି ଜାକବ । କିନ୍ତୁ ଦୁର୍ଭଗ୍ୟର ବିଷୟ, ୨୦୧୯ ନିର୍ବାଚନରେ ମତେ ଦଳିୟ ଟିକଟ ଦିଆଗଲା ନାହିଁ । ମୋ ବଦଳରେ କୋ÷ଣସି ପରିଚୟ ନ ଥିବା ଜଣେ ବ୍ୟକ୍ତିଙ୍କୁ ଦଳ ଟିକଟ ପ୍ରଦାନ କଲା ।ଫଳରେ ନିଜକୁ ଅବହେଳିତ ମନେକରି ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲେ ବୋଲି ଇସ୍ତଫାପତ୍ରରେ ପ୍ରକାଶ କରିଛନ୍ତି ଜାକବ । ନାମାଙ୍କନ ପତ୍ର ଦାଖଲ କଲା ପରେ ମୋ ବିରୁଦ୍ଧରେ ଦଳିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଗଲା । ତେବେ ତା ପର୍ବରୁ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କଲି । ତାଙ୍କ ବରୋଧରେ ଦଳ ତରଫରୁ ଅନେକ ମିଥ୍ୟା କପୋଳ କଳ୍ପିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ଅବୀଯୋଗ କରିଛନ୍ତି ଜାକବ । ତାଙ୍କ ସାଙ୍କରେ ଲୋକ ନାହାନ୍ତି ଓ ସେ ନିର୍ବାଚନରେ ଜିତିବାର ସମ୍ଭାବନା ନାହିଁ ବୋଲି କହି ଟିକଟ କାଟି ଦିଆଗଲା । ୨୦୧୪ ନିର୍ବାଚନରେ ବହୁ ଭୋଟରେ ଜିତିଥିଲି । କିନ୍ତୁ ଯେଉଁମାନେ ଅମାନତ ହରାଇଛନ୍ତି ସେମାନଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଥିଲେ ବି ମତେ ପ୍ରାର୍ଥୀ କରାଗଲା ନାହିଁ । ତେଣୁ ଦଳରେ ରହିବାକୁ ଇଚ୍ଛା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇତିବାରୁ କଂଗ୍ରେସ ବିଧାୟକ ଭାବରେ ରହିବାର ମଧ୍ୟ କୈାଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । ପରବର୍ତ୍ତି ପଦକ୍ଷେପ କଣ ହେବ ବୋଲି ପଚାରିବାରୁ, ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛି । ଯେହେତୁ ମୁଁ ଲୋକମାନଙ୍କ ସହିତ ଥିଲି ଲୋକମାନେ ମୋ ସହିତ ଥିଲେ ତେଣୁ ମୁ ନିଶ୍ଚିତ ଭାବରେ ଜୟଯୁକ୍ତ ହେବି ବୋଲି କହିଥିଲେ ।