କମୁଛି ସନାଙ୍କ ସମର୍ଥନ

Oct 24, 2018 - 19:13
 205
କମୁଛି ସନାଙ୍କ ସମର୍ଥନ
କେନ୍ଦୁଝର, ୨୪/୧୦ (ସକାଳଖବର) : ବିଧାୟକ ସନାତନ ମହାକୁଡଙ୍କ ପ୍ରତି ଜନସମର୍ଥନ ଏବେ କମିବାରେ ଲାଗିଛି । କେବଳ କେନ୍ଦୁଝର ନୁହେଁ ସନା ମହାକୁଡ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚିତ ନାମ । ତାଙ୍କର କାର୍ଯ୍ୟ ଶୈଳୀକୁ ନେଇ କେହି ତାଙ୍କୁ ‘ରବିନ୍ ହୁଡ୍’ ଆଖ୍ୟା ଦେଇଥାନ୍ତି ତ କେହି ଭଗବାନଙ୍କ ଦ୍ୱିତୀୟ ଅବତାର, ପୁଣି କେହି ବାହୁବଳୀ ଓ ବିତ୍ତଶାଳୀ ଭାବେ ଗୁଣଗାନ କରିବାକୁ ପଛାଇ ନଥାନ୍ତି । ମୋଟାମୋଟି ଭାବେ ଲୋକସଂପର୍କ ପାଇଁ ନୁହେଁ ବିତ୍ତଶାଳୀ ବିଧାୟକ ଓ ବଦାନ୍ୟ ବ୍ୟକ୍ତିଭାବେ ଜଣାଶୁଣା ମହାକୁଡ ନିର୍ବାଚିତ ହେବାପରେ ଜିଲ୍ଳାବାସୀ ପାଇଁ କିଛି କରି ଦେଖାଇବେ ବୋଲି ଆଶା କରାଯାଉଥିଲା । ଲୋକଙ୍କୁ ଭତ୍ତା, ବିହନ ଓ କ ମ୍ବଳ ବଣ୍ଟନ, ପାନୀୟ ଜଳ ପାଇଁ ବୋରୱେଲ ଖୋଳିବାରେ ସହାୟତା ସାଙ୍ଗକୁ ସଭାସମିତି କାର୍ଯ୍ୟକ୍ରମରେ ସନାତନ ଥିଲେ ସବୁଠୁ ଆଗୁଆ । ତେବେ ଗତ ୬ ମାସ ଧରି ଏସବୁରେ ଶିଥିଳତା ଦେଖା ଦେଇଛି । ତାଙ୍କ କର୍ମୀଙ୍କ ଦ୍ୱାରା କାଁ ଭାଁ ଗୋଟେ ଅଧେ କାର୍ଯ୍ୟକ୍ରମକୁ ଛାଡି ଦେଲେ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇଥିବା ନଜିର ନାହିଁ । ଯେଁଉ କାର୍ଯ୍ୟକ୍ରମ ଖୋଦ୍ ସନାତନଙ୍କ ତତ୍ତ୍ୱାବଧାନରେ କରାଯାଉଥିଲା ଆଉ ସେସବୁ ଦେଖିବାକୁ ମିଳୁନାହିଁ । ନ ମ୍ବିରା କ୍ୟାମ୍ପ, ଚମ୍ପୁଆ ଗେଷ୍ଟ ହାଉସ୍ ଓ କେନ୍ଦୁଝର ଅଫିସ ତାଙ୍କ ଅନୁପସ୍ଥିତିରେ ଖାଁ ଖାଁ ଲାଗୁଛି । ଯେଉଁ ସବୁ କ୍ୟାମ୍ପରେ ନିୟମିତ ଗହଳ ଲାଗିରହୁଥିଲା ଏବେ ସେଠାରେ ନୀରବତା । ଏଭଳି ପରିସ୍ଥିତିରେ ଖୋଦ୍ ମହାକୁଡ ମୁହଁ ନଖୋଲିବା ଅନେକଙ୍କୁ ସନେ୍ଦହ ଘେରରେ ରଖିଛି । କେତେ ବେଳେ ବୋହୂକୁ ନେଇ ତ ପୁଣି ଅନ୍ୟ କେତେ ବେଳେନିଜ କ୍ୟାମ୍ପ ଜମି, ଗାଈ ଓ କୁକୁରଙ୍କ ପାଇଁ ଏସି ବ୍ୟବସ୍ଥା ତଥା ଭତ୍ତାବଣ୍ଟନଙ୍କୁ ନେଇ ବିବାଦରେ ଛନ୍ଦି ହୋଇପଡିଥିବା ସନାତନ ଏବେ ଇଡି ସ୍କାନରରେ ରହିଛନ୍ତି । ବେଆଇନ ଖଣି କାରବାର ଓ ନିର୍ବାଚନୀ ଖର୍ଚ୍ଚକୁ ନେଇ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ଏବେ ତାଙ୍କ ପଛରେ ପଡିଥିବା କୁହାଯାଇଛିା ଏହି ସୁଯୋଗରେ ଅଞ୍ଚଳର ଲୋକମାନେ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଆରମ୍ଭ କଲେଣି । ଅନ୍ୟପକ୍ଷରେ ସନାଙ୍କ ଚାରିପାଖରେ ଘେରିରହିଥିବା କିଛି ହାତଗଣିତି ବ୍ୟକ୍ତି ସବୁ ଠିକ୍ ଠାକ୍ ଚାଲିଛି ବୋଲି ସଫେଇ ଦେଇ ଚାଲିଛନ୍ତି । କିନ୍ତୁ ବାସ୍ତବ ଚିତ୍ରଯାହା ଅର୍ଥ ବଳରେ ଜନମତକୁ ହାତେଇବାରେ ମାହିର ସନାତନଙ୍କ ପାଇଁ ଆଗାମୀ ରାଜନୀତି କାଠିକର ପାଠ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଲେଣି । ଏଥିଯୋଗୁଁ ସନାଙ୍କ ଜନସମୃଦ୍ଧି ପାର୍ଟିର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ କେତେକ ପ୍ରଭାବଶାଳୀ ରାଜନେତା ଜନସମୃଦ୍ଧି ପାର୍ଟିକୁ ସମର୍ଥନ ଦେବାକୁ ମନସ୍ଥ କରିଥିଲେ ସନା ଇଡି ସ୍କାନରକୁ ଆସିବା ପରେ ଏବେ ସେମାନେ ପଛଘୁଞ୍ଚା ଦେଉଛନ୍ତି । ସେହିପରି ଦୀର୍ଘ ଦିନ ଧରି ଭତ୍ତା ବନ୍ଦ ଯୋଗୁ ନିଜ ଅଞ୍ଚଳର ଭୋଟରମାନେ ମଧ୍ୟ ମୁହଁ ଫେରାଇବା ଆରମ୍ଭ କଲେଣି । ତେଣୁ ନିଜର କ୍ଷମତା ଓ ପ୍ରତିପତ୍ତି ବଳରେ ଜିଲ୍ଲା ତଥା ରାଜ୍ୟ ରାଜନୀତିକୁ ହାତ ମୁଠାରେ ରଖିବାକୁ ସ୍ୱପ୍ନ ଦେଖୁଥିବା ସନାତନଙ୍କ ଚିନ୍ତା ବଢିଯାଇଛି । ଅନ୍ୟପକ୍ଷରେ ଚମ୍ପୁଆରୁ ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକ ବିଜେଡିରୁ ଟିକେଟ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପଟ୍ଟନାୟକ ଟିକେଟ୍ ପାଇବାରେ ସଫଳ ହେଲେ ସନାଙ୍କୁ ବଡ ଝଟକା ଲାଗିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।