ବିଜୟଙ୍କ ବିସ୍ଫୋରକ ବୟାନ: ରାୟପୁରରେ ଥରେ ନୁହେଁ ୩ଥର ମିଟିଂ

Nov 1, 2021 - 09:18
 70
ବିଜୟଙ୍କ ବିସ୍ଫୋରକ ବୟାନ: ରାୟପୁରରେ ଥରେ ନୁହେଁ ୩ଥର ମିଟିଂ
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଏବେ ସବୁଠି ଜୋର ଧରୁଛି ଆନେ୍ଦାଳନ । ଏହି ମାମଲାରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଉଠିଛି । ଯାହାକୁ ନେଇ ତାଙ୍କର ବହିଷ୍କାର ନେଇ ସବୁ ମହଲରେ ଦାବି ଉଠୁଛି । ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଏବେ ମନ୍ତ୍ରୀ ଶ୍ରୀ ମିଶ୍ର, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମମିତା ମେହେର ମଧ୍ୟରେ ରାୟପୁର ବୈଠକକୁ ନେଇ ରାଜନୀତି ଜୋର ଧରିଛି । ପ୍ରଥମେ ବିଜେପି ନେତା ବିଜୟ ମହାପାତ୍ର ରାୟପୁର ବୈଠକ ପ୍ରସଙ୍ଗ ଉଠାଇବା ପରେ ତାଙ୍କ ସହ ସମାନ କଥା ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା । ତେବେ ଏହାରି ଭିତରେ ବିଜେପି ନେତା ବିଜୟ ମହାପାତ୍ର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ପୁଣି ଥରେ ସେ ରାୟପୁର ବୁଝାମଣା କଥା ଉଠାଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ପ୍ରଶ୍ନ ଉଠିଛି ତାହାର ଉତ୍ତର କେହି ଦେଉନାହାନ୍ତି । ରାୟପୁରରେ ଥରେ ନୁହେଁ, ୩ଥର ବୈଠକ ହୋଇଥିଲା । ମାତ୍ର ଦୁଇ ପୃଷ୍ଠା ଖୋଲାଯାଇଛି, ବହୁତ ପୃଷ୍ଠା ବାକି ରହିଛି । ଗୋବିନ୍ଦ ସାହୁ ବାରାକରେ ଥିବାବେଳେ ମନ୍ତ୍ରୀଙ୍କ ସହ କଥା ହୋଇଛି । ଆଗକୁ ଆହୁରି ବିସ୍ଫୋରକ ତଥ୍ୟ ଆସିବ । ପୂର୍ଣ୍ଣଚ୍ଛେଦ ପଡ଼ିବନି । ରାୟପୁରରେ ମନ୍ତ୍ରୀଙ୍କ ଅମାପ ସମ୍ପତ୍ତି ରହିଛଇ, ତାହା ବି ଆସିବ ବୋଲି ବିଜୟ ମହାପାତ୍ର କହିଛନ୍ତି । ପୂର୍ବରୁ ଅର୍ଥାତ ଅକ୍ଟୋବର ୨୪ରେ ବିଜୟ ମହାପାତ୍ର କହିଥିଲେ ଯେ, ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ବସଭବନରେ ବୁଝାମଣା କରାଯିବାକୁ ଉଦ୍ୟମ କରାଯାଇଥିଲା । ଏ ସମ୍ପର୍କରେ କିଛି ଟେଲିଫୋନ କଲ ରେକର୍ଡ ପୁଲିସକୁ ମିଳିଛି । ପୁଲିସ ଏହାକୁ ସିଲ କଭରରେ ତୃତୀୟ ମହଲକୁ ଦେଇସାରିଛି । ମନ୍ତ୍ରୀଙ୍କ ସମସ୍ତ କଲ ରେକର୍ଡ ଯାଞ୍ଚ ହେଉ । କିଛି ଅଣଓଡ଼ିଆ ଅଫିସର ବି ଏଥିରେ ସମ୍ପୃକ୍ତ, ସେମାନେ ରିପୋର୍ଟକୁ ଚାପି ରଖିଛନ୍ତି । କେବଳ ମନ୍ତ୍ରୀ ନୁହଁନ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସେଠାକୁ ଯାଉଥିଲେ । କାହିଁକି ଟିଆଇ ପରେଡ କରାଯାଉନି । ଡିଆଇଜି ଓ ଏସପି କେସକୁ ଦୁର୍ବଳ କରୁଛନ୍ତି । ତଦନ୍ତରୁ ଯେମିତି ଲାଗୁଛି କଳାହାଣ୍ଡି ଓ ବଲାଙ୍ଗିରରେ ସିନେମା ସୁଟିଂ ହେଉଛି ବୋଲି ବିଜୟ ମହାପାତ୍ର କହିଥିଲେ।