ବିଜେଡିକୁ ଢଳୁଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ !

May 1, 2018 - 10:00
 174
ବିଜେଡିକୁ ଢଳୁଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ !
ଭୁବନେଶ୍ୱର, ୧/୫(ସକାଳଖବର) : କଂଗ୍ରେସରେ ବେଶ୍ ଦବଦବା ରହିଥିଲେ ମଧ୍ୟ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବାରୁ ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ବିଜେଡ଼ିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦେବାଶିଷ କଂଗ୍ରେସରେ ବେଶ୍ ସକ୍ରିୟ ଥିଲେ ମଧ୍ୟ ବାଙ୍କୀ ଅଂଚଳର କେତେକ ବିଜେଡ଼ି ନେତାଙ୍କ ସହ ସେ ଅନୌପଚାରିକ ଆଲୋଚନା କରୁଥିବା ଜାଣିବାକୁ ମିଳିଛି । ବିଶେଷକରି ଦେବାଶିଷଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚିତ ଅଚୁ୍ୟତ ସାମନ୍ତ ଏବେ ବିଜେଡ଼ି ରାଜ୍ୟସଭା ସାଂସଦ ଥିବାବେଳେ ଏହା ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି । କଂଗ୍ରେସର ଜଣେ ଆଗଧାଡ଼ିର ଯୁବ ନେତା ଭାବେ ଦେବାଶିଷ ପଟ୍ଟନାୟକଙ୍କର ଯଥେଷ୍ଟ ସୁଖ୍ୟାତି ରହିଛି । ଖାଲି ପିସିସି ନୁହେଁ ଏଆଇସିସିରେ ମଧ୍ୟ ତାଙ୍କର ଦବଦବା ରହିଛି । ୧୯୯୧-୯୨ରେ ୟୁନିଭର୍ସିଟି ଲ କଲେଜର ଛାତ୍ରନେତା ଭାବେ ଦେବାଶିଷ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୩-୯୪ରେ ସେ ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ଯୁଗ୍ମ ସମ୍ପାଦକ ରହିଥିବାବେଳେ ୧୯୯୪-୯୭ ପର୍ଯ୍ୟନ୍ତ ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୭-୨୦୦୧ ପର୍ଯ୍ୟନ୍ତ ସେ ଓଡ଼ିଶା ଛାତ୍ର କଂଗ୍ରେସର ସଭାପତି ମଧ୍ୟ ରହିଥିଲେ । ସେହିପରି ୨୦୦୨-୨୦୦୪ ପର୍ଯ୍ୟନ୍ତ ସେ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ରହିଥିବାବେଳେ ବିଗତ ଦିନମାନଙ୍କରେ ମୁଖପାତ୍ର ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ଆସିଛନ୍ତି । ନେତା ହେବା ପାଇଁ ତାଙ୍କ ପାଖରେ ସମସ୍ତ ପ୍ରକାର ସାଧନ ରହି ଆସିଥିଲେ ମଧ୍ୟ ନିର୍ବାଚନୀ ରାଜନୀତିରେ ବିଶେଷ ସଫଳତା ହାସଲ କରିପାରିନାହାନ୍ତି । ୨୦୦୪ରେ ସେ ବାଙ୍କୀରେ ପ୍ରଭାତ ତ୍ରିପାଠୀଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ପରବର୍ତୀ ନିର୍ବାଚନରେ ସେ ବିପୁଳ ଭୋଟ୍ରେ ପରାଜିତ ହୋଇଥିଲେ । ୨୦୦୯ରେ ବାଙ୍କୀରେ ପରାସ୍ତ ହେବା ପରେ ସେ ବେଗୁନିଆ ଆଡ଼କୁ ଢଳିଥିଲେ । ବେଗୁନିଆରେ କଂଗ୍ରେସର ଭଲ ଭୋଟ ଥିବାବେଳେ ଦଳ ନେତୃତ୍ୱ ସଂକଟ ଦେଇ ଗତି କରୁଥିଲା । ଜାନକୀବାବୁଙ୍କ ଅନୁଗତ ମାନେ ସୌମ୍ୟରଂଜନଙ୍କ ମାଠିଆ ଧରିଥିବାରୁ ସେଇ ସୁଯୋଗରେ ଦେବାଶିଷ ୨୦୧୪ରେ ବେଗୁନିଆରୁ ପ୍ରାର୍ଥୀ ହୋଇଥିଲେ । ତେବେ ସେ ଯେଉଁ ରାଜନୀତିକ ଅଙ୍କ କଷି ବାଙ୍କୀରୁ ବେଗୁନିଆକୁ ଆସିଥିଲେ ତାହା ସଫଳ ହୋଇନଥିଲା । ବେଗୁନିଆର ସିଂହଭାଗ କଂଗ୍ରେସ ଭୋଟର ମାଠିଆକୁ ସମର୍ଥନ କରୁଥିବାରୁ ତାଙ୍କର ଅମାନତ ମଧ୍ୟ ହଜିଯାଇଥିଲା । ଅପରପକ୍ଷରେ ବାଙ୍କୀ ଛାଡ଼ି ସେ ବେଗୁନିଆ ପଳାଇ ଆସିଥିବାରୁ ବାଙ୍କୀର କଂଗ୍ରେସ କର୍ମୀମାନେ ମଧ୍ୟ ତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ । ପୁଣି ସେ ବାଙ୍କୀ ଫେରିଯିବା ପାଇଁ ଯୋଜନା କରୁଥିଲେ ମଧ୍ୟ ରବି ମଲ୍ଲିକ ଓ ତାଙ୍କର ସମର୍ଥକମାନେ ଦେବାଶିଷଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବାଙ୍କୀ ହେଉକି ପାଖ ନିର୍ବାଚନମଣ୍ଡଳୀ ବେଗୁନିଆ, ଏବେ ଦୁଇଟି ଯାକ ସ୍ଥାନରେ ବିଜେଡ଼ିର ଦବଦବା ରହିଛି । ଦୁଇଟି ଯାକ ଆସନରୁ କୌଣସି ଗୋଟିଏ ସ୍ଥାନରେ ବି କଂଗ୍ରେସ ଜିତିବାର ସାମାନ୍ୟତମ ସୁଯୋଗ ମଧ୍ୟ ନାହିଁ । ତେଣୁ ଦେବାଶିଷ ଏବେ ବିଜେଡ଼ିକୁ ଯିବା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଅଂଚଳର ପ୍ରଭାତ ବିରୋଧୀ ବିଜେଡ଼ି ନେତାଙ୍କ ସହ ସେ ଯୋଗାଯୋଗରେ ଥିବାବେଳେ ଅନୌପଚାରିକ ଭାବେ ଦୁଇ ତିନୋଟି ବୈଠକ ମଧ୍ୟ କରିଥିବା ସ୍ଥାନୀୟ ଅଂଚଳର ଜଣେ କଂଗ୍ରେସ ନେତା ସୂଚନା ଦେଇଛନ୍ତି । ଅପରପକ୍ଷରେ ଦେବାଶିଷଙ୍କର ଅଚୁ୍ୟତ ସାମନ୍ତଙ୍କ ସହ ନିଘନ ସମ୍ପର୍କ ରହିଛି । ଗତ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଚକିତ କରି ଅଚୁ୍ୟତ ବିଜେଡ଼ିରେ ଯୋଗଦେଇ ରାଜ୍ୟସଭାକୁ ଯିବାରେ ସମର୍ଥ ହୋଇଛନ୍ତି । ଆଦିବାସୀ ଭୋଟ୍ ବ୍ୟାଙ୍କ ହାତେଇବା ଲକ୍ଷ୍ୟରେ ବିଜେଡ଼ି ଅଚୁ୍ୟତଙ୍କୁ ନେଇଥିବାବେଳେ ଅଚୁ୍ୟତ ମଧ୍ୟ ବିଜେଡ଼ିରେ ପତିଆରା ବିସ୍ତାର କରିବା ଆରମ୍ଭ କରିଛନ୍ତି । ଅଚୁ୍ୟତଙ୍କର ବିଜେଡ଼ି ଲିଙ୍କକୁ ଆଖି ଆଗରେ ରଖି ଦେବାଶିଷ ବିଜେଡ଼ି ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି । ସେହିପରି ଚିଟ୍ଫଣ୍ଡ ଲିଙ୍କରେ ପ୍ରଭାତ ତ୍ରିପାଠୀ ମଧ୍ୟ ଛନ୍ଦି ହୋଇଯାଇଛନ୍ତି । ସେହି ମଉକାରେ ତାଙ୍କୁ ବିଜେଡ଼ି ଟିକେଟ୍ ମିଳିପାରିବ ବୋଲି ସେ ଆଶା ରଖିବା ସ୍ୱାଭାବିକ । ବାଙ୍କୀ ରାଜନୀତିରେ ଏଭଳି ଚର୍ଚ୍ଚା ଘନୀଭୂତ ହେଉଥିବାବେଳେ ଦେବାଶିଷଙ୍କ ପ୍ରକୃତ ଉଦେ୍ଧଶ୍ୟ କ’ଣ ତାହା କିନ୍ତୁ ସ୍ଥାନୀୟ କଂଗ୍ରେସ ଓ ବିଜେଡ଼ି ନେତା ଠଉରାଇ ପାରୁନାହାନ୍ତି । ତେବେ ନୂତନ ପିସିସି ଟିମ୍ ଗଠନ ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।