କାବୁ ହେଉନି ‘ସୁନ୍ଦରୀ’, ପୁଣି ଆକ୍ରମଣ ମୁହାଁ
ଅନୁଗୋଳ,୨୪/୧୦ (ସକାଳଖବର): ବାଘୁଣୀ ସୁନ୍ଦରୀକୁ ନେଇ ବଢ଼ିଯାଇଛି ଚିନ୍ତା । ଆଉ କାବୁ କରିବାକୁ ଯାଇଥିବା ଟ୍ରାଙ୍କୁଲାଇଜ ଟିମ ସହ ସୁନ୍ଦରୀର ଚାଲିଛି ଲୁଚକାଳି ଖେଳ । ୨ଦିନ ଧରି ଟ୍ରାଙ୍କୁଲାଇଜ ଟିମ୍ ବାଘୁଣୀକୁ ଧରିବାକୁ ଉଦ୍ୟମ କରୁଥିଲେ ମଧ୍ୟ ୩ୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଫେଲ ମାରିଛନ୍ତି ।ଆଉ ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି । ସ୍ଥାନୀୟ ଲୋକ ମଧ୍ୟ ଟ୍ରାଙ୍କୁଲାଇଜ ଟିମକୁ ସଂପୂର୍ଣ୍ଣ ସହଯୋଗ ଜାରି ରଖିଛନ୍ତି । ବାଘୁଣୀ ସୁନ୍ଦରୀ ଲତାବୁଦାରେ ଲୁଚି ରହୁଥିବା ବେଳେ ତାଙ୍କୁ ଧରିବା ପାଇଁ ବିଶେଷଜ୍ଞ ଦଳ ବିଭିନ୍ନ ଯୋଜନା କରୁଛନ୍ତି । ତେବେ ଗତକାଲି ଏକ ଛେଳିର ଥୋପ ଦେଇଥିଲେ । ମଞ୍ଚା ତଳେ ଛେଳି ଉପରେ ଟ୍ରାଙ୍କୁଲାଇଜ ଟିମ୍ । ଯୋଜନା ମୁତାବକ ବାଘୁଣୀ ଛେଳିକୁ ଖାଇବାକୁ ଆସୁଥିଲା । ବାଘୁଣୀ ଆସିବା ପରେ ଗୋଟିଏ ରାଉଣ୍ଡ ନିଶ୍ଚେତକ ଗୁଳି ମାରିଥିଲା ଟିମ୍ । ହେଲେ ବାଘୁଣୀ ଦେହରେ ନବାଜିବାରୁ ଫେରାର ହୋଇଯାଇଥିଲା । ବାଘୁଣୀ ସୁନ୍ଦରୀ ସାତକୋଶିଆ ଅଞ୍ଚଳର କୁମୁରୀ , ବାଘମୁଣ୍ଡା , ନୂଆପଡ଼ା, ନୂଆସାହି, ଟାଇଁସି ଏହି ଗାଁ ପାଖାପାଖି ସଦାସର୍ବଦା ରହୁଥିବା ଜଣାଯାଇଛି ।ପୁଣି ଆଜି ସକାଳ ବେଳା ନୂଆପଡ଼ା ଗାଁ ନୂଆସାହି ନିକଟରେ ବନ୍ଧାଯାଇଥିବା ଏକ ବଳଦ ଉପରକୁ ଝାମ୍ପ ମାରିଥିଲା ବାଘୁଣୀ ମାତ୍ର ପଘା ଛିଣ୍ଡେଇ ବଳଦ ପଳାଇ ଯିବାରୁ ଅଳ୍ପକେ ରକ୍ଷା ପାଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ସାତକୋଶିଆରେ ଆତଙ୍କ ଖେଳାଇଥିବା ମଣିଷଖିଆ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଓୟୁଏଟି ର ବିଶେଷଜ୍ଞ ଡ଼. ଇନ୍ଦ୍ରମଣୀ ନାଥଙ୍କ ନେତୃତ୍ୱରେ ଶିମିଳିପାଳ, ନନ୍ଦନକାନନ, ସାତକୋଶିଆ ଏବଂ ଡ଼ବ୍ଲୁଆଇଆଇ ଅଧିକାରୀ ମଙ୍ଗଳବାର ଠାରୁ ପୁରଣାକୋଟ ରେଞ୍ଜ କୁମୁରୀ ଗାଁରେ ପହଞ୍ଚିଛନ୍ତି । ଆଉ ଦିନ ୧୧ଟାଠାରୁ ୩ଟି ଟିମ ବାଘୁଣୀକୁ କାବୁ କରିବା ପାଇଁ ପ୍ରୟାସ ଚଳାଇଛନ୍ତି ହେଲେ ଚକମା ଦେଇ ଚାଲିଛି ବାଘୁଣୀ ‘ସୁନ୍ଦରୀ’ । ଆଜି ପର୍ଯ୍ୟନ୍ତ ୩ୟ ପର୍ଯ୍ୟାୟ ପରେ ମଧ୍ୟ କାବୁ ହୋଇ ପାରିନି ବାଘୁଣୀ, ଏବଂ ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି । ତେବେ ସୁନ୍ଦରୀକୁ ଧରିବା ପର୍ଯ୍ୟନ୍ତ ଟ୍ରାଙ୍କୁଲାଇଜ ପ୍ରକ୍ରିୟା ଜାରି ରହିବ ବୋଲି ବନବିଭାଗ ପ୍ରକାଶ କରିଛି । ସୂଚନା ଯେ, ସାତକୋଶିଆ ଅଞ୍ଚଳ ହାତୀବାରୀରେ ମହିଳା କୌଳାସୀ ସାଏ ଏବଂ ଟାଇଁସି ଗାଁର ଚାଷୀ ତ୍ରୀନାଥ ସାହୁ ବାଘୁଣୀ ଆକ୍ରମଣର ଶିକାର ହେବାପରେ ଟିକରପଡ଼ାରେ ଲଙ୍କାକାଣ୍ଡ ଏବଂ କଞ୍ଜରା ମୁଣ୍ଡାସାହିଠାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ତେବେ ଟାଇଁସି ଘଟଣା ପରେ ବନବିଭାଗର ନିଦ ଭାଙ୍ଗିଲା । ଆଉ ସୁନ୍ଦରୀକୁ କାବୁ କରିବା ପାଇଁ ୧୦ ଜଣିଆ ଟା୍ରଙ୍କୁଲାଇଜ ଟିମ ପୁଲିସ ସୁରକ୍ଷାରେ ସାତକୋଶିଆର କୁମୁରୀ ଗାଁରେ ପହଞ୍ଚି ସୁନ୍ଦରୀକୁ କାକୁ କରିବା ଅଭିଯାନ ଆରମ୍ଭ କରିଛନ୍ତି । ସୂଚନାଯେ ଟାଇଁସି ଗାଁରେ ତି୍ରନାଥ ସାହୁଙ୍କ ମୃତ୍ୟୁପରେ କୁମୁରୀ ଗାଁର ଏକ ବଳଦକୁ ବାଘୁଣୀ ଆକ୍ରମଣ କରି ଘୋଷାଡ଼ି ନେଇଥିଲା । ତେବେ ବଳଦ ମଢ଼ ପାଖରେ ସୁନ୍ଦରୀ ଦିନରାତି ଘୂରୁଥିବା ବେଳେ କୁମୁରୀ ଗାଁ ଲୋକମାନେ ଘର ତାଟି କବାଟ ଦେଇ ରହିଥିଲେ । ପୁରୁଷ ଲୋକମାନେ ରାତି ଉଜାଗର ହୋଇ ସୁନ୍ଦରୀ ଉପରେ ନଜର ରଖିଥିଲେ । ତେବେ ମଲା ବଳଦକୁ ଯାଇ ଖାଉଥିବା ବୁଲାକୁକୁରକୁ ମଧ୍ୟ ସୁନ୍ଦରୀ ଝାମ୍ପି ନେଇଥିଲା । ତାପରଠାରୁ ମଢ଼ ପାଖରେ ଥିବା ଲତାବୁଦାରେ ଲୁଚି ରହିଥିଲା । ତେବେ ଟ୍ରାଙ୍କୁଲାଇଜ ଟିମ ୩ଟି ଟ୍ରାଙ୍କୁଲାଇଜ ବନ୍ଧୁକ ଧରି ତିନି ପଟୁ ସୁନ୍ଦରୀ ଆଡ଼କୁ ନିଶାନା କରି ରହିଥିଲେ ମଧ୍ୟ ସୁନ୍ଦରୀ ଲତାବୁଦାରୁ ବାହାରି ନଥିଲା । ଯଦ୍ୱାରା ସୁନ୍ଦରୀ ଓ ଟ୍ରାଙ୍କୁଲାଇଜ ଟିମ ମଧ୍ୟରେ ଲୁଚକାଳି ଲାଗି ରହିଛି । ତେବେ ସୁନ୍ଦରୀକୁ କାବୁ କରିବା ପାଇଁ ଏକ ଛେଳିର ଥୋପ ଦିଆଯାଇଥିଲା । ଉପରେ ମଞ୍ଚା ଓ ତଳେ ଛେଳି, ଏବଂ ମଞ୍ଚା ଉପରେ ଟ୍ରାଙ୍କୁଲାଇଜ ଟିମ । ସୁନ୍ଦରୀ ଆସିଲା ମାତ୍ର ଛେଳି ପାଖକୁ ଆସିବା ବେଳେ ଗୋଟିଏ ରାଉଣ୍ଡ ନିଶ୍ଚେତକ ଗୁଳି ଛଡ଼ାଯାଇଥିଲା । ତେବେ ଗୁଳି ବାଜିଲାନି । ଯଦ୍ୱାରା ପୁଣି ଚକମା ଦେଖାଇ ପଳାଇ ଯାଇଥିଲା । କୁମୁରୀ ରୁ ବାଘମୁଣ୍ଡା ପୁଣି ବାଘମୁଣ୍ଡାରୁ ନୂଆପଡ଼ା ଗାଁ ନୂଆସାହି ଭିତରେ ଚକର କାଟୁଛି ସୁନ୍ଦରୀ । କିନ୍ତୁ ଆଜି କୁମୁରୀରୁ ଆସି ନୂଆସାହିରେ ବନ୍ଧା ହୋଇଥିବା ଏକ ବଳଦ ଉପରକୁ ଝାମ୍ପ ମାରିଥିଲା । ସୌଭାଗ୍ୟକ୍ରମେ ବଳଦଟି ପଘା ଛିଣ୍ଡାଇ ପଳାଇବାରୁ ଅଳ୍ପକେ ବାଘୁଣୀ ମୁହଁରୁ ରକ୍ଷା ପାଇଯାଇଥିବା ଜଣାଯାଇଛି ।ତେବେ ଟ୍ରାଙ୍କୁଲାଇଜ ଟିମ୍ ଆଜି ମଧ୍ୟ କୁମୁରୀରେ ଡେ଼ରା ପକାଇଛନ୍ତି । ତେବେ ସାତକୋଶିଆ ଅଞ୍ଚଳବାସୀ ଟ୍ରାଙ୍କୁଲାଇଜ ଟିମକୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି । ଅପରପକ୍ଷେ ବାଘଛଡ଼ା ଯୋଜନାର ମୁଖ୍ୟ କୁହାଯାଉଥିବା ସାତକୋଶିଆ କ୍ଷେତ୍ର ନିଦେ୍ର୍ଧଶକ ଡ଼. ସୁଦର୍ଶନ ପଣ୍ଡା ଘଟଣାସ୍ଥଳରେ ଦେଖା ମିଳୁନଥିବା ଜଣାଯାଇଛି । ବାଘକୁ ଟ୍ରାଙ୍କୁଲାଇଜ କରିବା ପାଇଁ ପୋଷା ହାତୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ହାତୀ ନଆଣି ସାତକୋଶିଆ କର୍ତ୍ତୃପକ୍ଷ ବାଘ ଛାଡ଼ିବାର ଦୁଃସାହସ କରିଛନ୍ତି ଫଳରେ ଟ୍ରାଙ୍କୁଲାଇଜ କରିବା କଷ୍ଟସାଧ୍ୟ ବ୍ୟାପାର ବୋଲି ଟ୍ରାଙ୍କୁଲାଇଜ ଟିମ ମତପ୍ରକାଶ କରିଛନ୍ତି ।