ଆସିଲା ଏକଜିଟ ପୋଲ ରେଜଲ୍ଟ, ଦେଖନ୍ତୁ କାହାକୁ ମିଳିପାରେ କେତେ ସିଟ୍
ନୂଆଦିଲ୍ଲୀ : ଆସିଲା ଏକଜିଟ ପୋଲ ରେଜଲ୍ଟ। ଏଥର ମଣିପୁରରେ ପୁଣିଥରେ ସରକାର ଗଢିପାରେ ବିଜେପି । ଅଧିକାଂଶ ଏକଜିଟ୍ ପୋଲରୁ ଆସିଥିବା ରିପୋର୍ଟ ଅନୁସାରେ, ଏଠାରେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛି ବୋଲି ଆକଳନ କରାଯାଉଛି । ତେବେ ମଣିପୁରରେ ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ ।
ମଣିପୁରର ମୋଟ୍ ବିଧାନସଭା ଆସନ ୬୦ ହୋଇଥିବାବେଳେ, ଏଠାରେ ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୩୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଆଉ ଏଭଳି ସମୟରେ ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ଅନୁସାରେ ମଣିପୁରରେ ବିଜେପିକୁ ୩୩ରୁ ୪୩ ଆସନ ମିଳିପାରେ । ସେହିପରି କଂଗ୍ରେସକୁ ୪ରୁ ୮ ଆସନ, ଏନପିପିକୁ ୪ରୁ ୮ ଆସନ ଓ ଅନ୍ୟାନ୍ୟଙ୍କୁ ୬ରୁ ୧୫ ଆସନ ମିଳିପାରେ ବୋଲି ଇଣ୍ଡିଆ ଟୁଡେ ଆକଳନ କରିଛି ।
ସେପଟେ ଏବିପି ସି-ଭୋଟର ମଧ୍ୟ ମଣିପୁରରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରିଛି । ଏବିପି ସି-ଭୋଟରର ଆକଳନ ଅନୁସାରେ ମଣିପୁରରେ ବିଜେପିକୁ ୨୩ରୁ ୨୭ ଆସନ ମିଳିପାରେ, ସେହିପରି କଂଗ୍ରେସକୁ ୧୨ରୁ ୧୬ ସିଟ୍ , ଏନପିପିକୁ ୧୦ରୁ ୧୪ ସିଟ ଓ ଏନପିଏଫକୁ ୩ରୁ ୭ ଆସନ ମିଳିପାରେ । ଅନ୍ୟପଟେ ଜନ କି ବାତ୍ ଆକଳନ ଅନୁସାରେ ଏଥର ମଣିପୁରରେ ବିଜେପିକୁ ୨୩ରୁ ୨୮ ସିଟ୍, କଂଗ୍ରେସକୁ ୧୦ରୁ ୧୪ ସିଟ୍, ଏନପିପିକୁ ୭ରୁ ୮ ସିଟ୍, ଏନପିଏଫକୁ ୫ରୁ ୮ ସିଟ୍ ଓ ଅନ୍ୟାନ୍ୟଙ୍କୁ ୮ରୁ ୯ ସିଟ୍ ମିଳିପାରେ ।
ସୂଚନାଯୋଗ୍ୟ ଯେ, ଗତଥର ମଣିପୁରରେ ବିଜେପି ୨୪ ସିଟ୍ ଜିତି ସବୁଠାରୁ ବଡ ଦଳର ମାନ୍ୟତା ପାଇଥିଲା । ଆଉ ଏହି ସମୟରେ କଂଗ୍ରେସକୁ ମିଳିଥିଲା କେବଳ ୧୭ ସିଟ୍ । ତେବେ ଫଳାଫଳ ପ୍ରକାଶ ପାଇବା ପରେ ବିଜେପି – ଏନପିପି, ଏଲଜେପି ଓ କିଛି ସ୍ୱାଧୀନ ବିଧାୟକଙ୍କ ସହ ମିଶି ସରକାର ଗଠନ କରିଥିଲା । ଆଉ ଏନ୍ ବୀରେନ୍ ସିଂହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏପରି ସମୟରେ ମଣିପୁରରେ ବିଜେପି ପୁଣି ନିଜର ସରକାର ଗଠନ କରୁଛି ନା କଂଗ୍ରେସ ପୁଣି ଶାସନକୁ ଫେରୁଛି ତାକୁ ନେଇ ଏବେ ଅଙ୍କ କଷା ଆରମ୍ଭ ହୋଇଯାଇଛି ।