ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ମହାଅଧିବେଶନ

Aug 30, 2018 - 19:20
 185
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ମହାଅଧିବେଶନ
ଭୁବନେଶ୍ୱର, ୩୦/୮ (ସକାଳଖବର): ମହିଳାମାନଙ୍କର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ଏଥି ସହ ତୃଣମୂଳ ସ୍ତରରେ ବସବାସ କରୁଥିବା ସମସ୍ତ ମହିଳା ଗୋଟିଏ ପ୍ଲାଟଫର୍ମ୍ ମାଧ୍ୟମରେ ଯୋଡି ହୋଇ ନିଜର ହକ୍ ସମ୍ବନ୍ଧରେ ଜାଣିବା ନିହାତି ଆବଶ୍ୟକ । ଆବାଳ ବୃଦ୍ଧ ବନିତାଙ୍କ ପାଇଁ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି । ସେହି ଯୋଜନା ସମ୍ବନ୍ଧରେ ଜାଣିବା ସହ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାଗୁଡିକୁ ସୋସିଆଲ ମିଡିଆ ମାଧ୍ୟମରେ ପହଂଚାଇବା ପାଇଁ ବିଜେପି ମହିଳା ମୋର୍ଚ୍ଚା ମହାଅଧିବେଶନର ପ୍ରଥମ ଦିନର ସୋସିଆଲ ମିଡିଆ ବୈଠକରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହତକର କହିଛନ୍ତି । ଦିନକୁ ଦିନ ସୋସିଆଲ ମିଡିଆର ଶକ୍ତି ବୃଦ୍ଧି ପାଉଛି । ଗାଁଠୁ ସହର ପର୍ଯ୍ୟନ୍ତ ଏବେ ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ଏହାକୁ ଆଧାର କରି କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଂଚିବ । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ଏହି ଦାୟୀତ୍ୱ ହାତକୁ ନେଇ କାର୍ଯ୍ୟ କରିବେ । ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ସୋସିଆଲ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ରାହତକର କହିଛନ୍ତି । ଠାରେ ଆୟୋଜିତ ଉଜ୍ଜଳାର ରୋଷେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତାକାଲି ମହିଳା ଅଧିବେଶନର ଦ୍ୱିତୀୟ ଦିନର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମହିଳା ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ପ୍ରାର୍ଥୀ, ନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେବେ । ଏହି ବୈଠକରେ ଶ୍ରୀମତୀ ରାହତକର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ମାର୍ଗଦର୍ଶନ କରିବେ ବୋଲି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।