ଭିତରକାଠ ନିକଟରେ ବାନ୍ତି କରିଦେଲେ ଭକ୍ତ, ଶ୍ରୀମନ୍ଦିର ଦର୍ଶନ ବନ୍ଦ

Mar 8, 2022 - 05:29
 50
ଭିତରକାଠ ନିକଟରେ ବାନ୍ତି କରିଦେଲେ ଭକ୍ତ, ଶ୍ରୀମନ୍ଦିର ଦର୍ଶନ ବନ୍ଦ
ପୁରୀ : ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି । ଭିତରକାଠ ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୂଙ୍କ ଦର୍ଶନ ବନ୍ଦ ରଖାଯାଇଛି । ମନ୍ଦିର ଶୁଦ୍ଧି ହେବା ପରେ ପୁଣି ଦର୍ଶନ ଆରମ୍ଭ ହେବ । ଅପରପକ୍ଷରେ ହଜାର ହଜାର ଶ୍ରଦ୍ଧାଳୁ ଖରାରେ ଠିଆହେବାକୁ ବାଧ୍ୟ ହୋଇଛନ୍ତି । ଗତକାଲି ଶ୍ରୀମନ୍ଦିରରେ ରକ୍ତ ଛିଟା ପଡ଼ିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ, ସକାଳ ପହଡ଼ ଖୋଲିବା ପରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଆସି ମହାପ୍ରଭୂଙ୍କୁ ଦର୍ଶନ କରୁଥିଲେ । ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା । କିନ୍ତୁ ଜଣେ ଭକ୍ତ ଅସୁସ୍ଥ ଥିବାବେଳେ ଭିଡ଼ ଯୋଗୁଁ ସେ ରୁନ୍ଧି ହୋଇଯାଇଥିଲେ । ଫଳରେ ଭିତରକାଠ ନିକଟରେ ସେ ବାନ୍ତି କରି ଦେଇଥିଲେ । ଭକ୍ତ ବାନ୍ତି କରିବାରୁ ତୁରନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଶ୍ରୀମନ୍ଦିର ବିଧି ଅନୁଯାୟୀ, ମନ୍ଦିର ଭିତରେ ଏବେ ଶୁଦ୍ଧି ଚାଲିଛି । ବିଭିନ୍ନ ପବିତ୍ର ଜଳ ସିଂଚନ ପରେ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଗତକାଲି ଏହି କାରଣରୁ କିଲୋମିଟର ବ୍ୟାପୀ ଲମ୍ବା ଧାଡ଼ି ଲାଗିଥିଲା । ଆଜି ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି ।