୨୦୧୯ ନିର୍ବାଚନର ଶୁଭସ୍ତମ୍ବ: ମୋଦୀ-ନବୀନ ବାକ୍ୟୁଦ୍ଧ

Sep 22, 2018 - 18:49
 196
୨୦୧୯ ନିର୍ବାଚନର ଶୁଭସ୍ତମ୍ବ: ମୋଦୀ-ନବୀନ ବାକ୍ୟୁଦ୍ଧ
କଟକ,୨୧/୯ (ସୌଭାଗ୍ୟ ସୁନ୍ଦରରାୟ):): ଆଜିଠାରୁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପିର) ପକ୍ଷରୁ ୨୦୧୯ ନିର୍ବାଚନୀ ପାଇଁ ପ୍ରଚାରର ଶୁଭାରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି । ସକାଳଖବର ଏକଥା ପୂର୍ବରୁ ଲେଖିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେରଠାରେ ଥିବା ପୁରୁଣା ସାର କାରଖାନାର ନବୀକରଣ ପାଇଁ ଶିଳାନ୍ୟାସ କରିବା ସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ନବୀକୃତ ଝାରସୁଗୁଡ଼ାଠାରେ ବିମାନବନ୍ଦରର ଉଦ୍ଘଘାଟ କରିଛନ୍ତି । ତାଳଚେର ସାର କାରଖାନା ଏକ ବୃହତ ପ୍ରକଳ୍ପ ଭାବେ ଓଡ଼ିଶା ପାଇଁ ମାନ୍ୟତା ରଖେ । ଏଠାରେ ୧୩୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ସେହିପରି ଝାରସୁଗୁଡ଼ା ବିମାନବନ୍ଦର ପଶ୍ଚିମ ଓଡ଼ିଶା ପାଇଁ ଗୁରୁତ୍ୱ ବହନ କରେ । ଏହା ପଶ୍ଚିମ ଓଡ଼ିଶାର ଅଭିବୃଦ୍ଧରେ ସହାୟକ ହୋଇପାରିବ । ଝାରସୁଗୁଡ଼ାଠାରୁ ୫୦ କିଲୋମିଟର ଦୂରରେ ସମ୍ବଲପୁରରେ ପ୍ରତିଷ୍ଠା ହୋଇଛି ଆଇଆଇଏମ । ଆଜି ପ୍ରଧନାମନ୍ତ୍ରୀଙ୍କ ପ୍ରକଳ୍ପ ଉଦ୍ଘାଟନ ଅଭିଭାଷଣରୁ ଏହା ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ ବୋଲି ଅନୁଭବ କରାଯାଉଥିଲା । ଓଡ଼ିଶାକୁ ଟଙ୍କିଆ ଚାଉଳ ବାବଦରେ କେନ୍ଦ୍ର ସରକାର ୪୫୦ କୋଟି ଦେଉଛନ୍ତି ବୋଲି ପ୍ରଧନମନ୍ତ୍ରୀ କହିଥିଲେ । ସ୍ୱଚ୍ଛତା ଅଭିଯାନରେ ରାଜ୍ୟ ପଛୁଆ ରହିଛି ଓ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ରାଜ୍ୟ ସହଯୋଗ ଲୋଡ଼ୁନଥିବା କଥା ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କୁ ପେଲିଠେଲି କାମ କରାଇବାକୁ ପଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ରାଜ୍ୟରେ ପିସି ବା ଲାଞ୍ଚ କାରବାର ଚାଲିଥିବା ସଂପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅଭିଯୋଗମୂଳକ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ସିଧାସଳଖ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏଥିପାଇଁ ସରକାରଙ୍କୁ ରାଜ୍ୟବାସୀଙ୍କ ନିକଟରେ ଉତ୍ତରଦାୟୀ କରାଇଥିଲେ । ରାଜ୍ୟର ବିକାଶ କରିବାକୁ କେନ୍ଦ୍ର ଚାହୁଥିବାବେଳେ ରାଜ୍ୟ ସରକାର ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇବାକୁ ଚାହିଁଥିଲେ । ପୂର୍ବରୁ ରାଜ୍ୟ ସରକାରଙ୍କ ସଂପର୍କରେ ଯାହା ସମସ୍ତ ପ୍ରତିକୂଳ ମନ୍ତବ୍ୟ ଦିଆଯାଉଥିଲା ତାହା ପ୍ରଧାନମନ୍ତ୍ରୀ ଓ ଦଳର ସଭାପତିଙ୍କୁ ବାଦଦେଇ ଅନ୍ୟମାନେ ଉଚ୍ଚାରଣ କରୁଥିଲେ । ଏହାର ଜବାବ ମଧ୍ୟ ବିଜେଡ଼ିର ଦଳୀୟ ପ୍ରବକ୍ତା ଓ ଅନ୍ୟ ନେତାମାନେ ଦେଉଥିଲେ । କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ମୁହଁ ଖୋଲିଥିବାରୁ ଏହାର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ମୁଖ୍ୟ ରାଜାଙ୍କ ସହ ରାଜାଙ୍କ ଟକ୍କର ନ୍ୟାୟର ପ୍ରଦାନ କରିଛନ୍ତି । ଦୁର୍ଯେ୍ୟାଧନଙ୍କ ସହ ଗଦା ଯୁଦ୍ଧ ପାଇଁ ଭୀମ ଯେତେବେଳେ ଆଗେଇ ଆସିଲେ ସେତେବେଳେ ଦୁର୍ଯେ୍ୟାଧନ ଭୀମଙ୍କୁ ପ୍ରଶ୍ନ କରିଥିଲେ ‘ତୁ କିଏ’ ? ତୁ କଣ ମୋ ସହ ଲଢ଼ିବୁ ? ତୁ ତ ରାଜା ନୋହୁଁ । ମୁଁ ରାଜା, ମୋ ସହ ରାଜା ଲଢ଼ିବେ । ଏହାହିଁ ଥିଲା ଧର୍ମଯୁଦ୍ଧର ନିୟମ । ରାଜା- ରାଜା ଓ ସେନାପତି-ସେନାପତି ମଧ୍ୟରେ ହୋିଥାଏ ଲଢେ଼ଇ । ଦୁର୍ଯେ୍ୟାଧନଙ୍କ ଏହି ମନ୍ତବ୍ୟରେ ଭୀମ ଫେରିଯାଇଥିଲେ ଏବଂ ଏକଥା ଜ୍ୟେଷ୍ଠ ଭ୍ରାତା ଯୁଧିଷ୍ଠିରଙ୍କୁ ଜଣାଇଥିଲେ । ଫଳରେ ଦୁର୍ଯେ୍ୟାଧନଙ୍କ ନିକଟକୁ ଯୁଧିଷ୍ଠିରଙ୍କୁ ଆସିବାକୁ ପଡ଼ିଥିଲା । କିନ୍ତୁ ଯୋଦ୍ଧା ଭାବେ ଯୁଧିଷ୍ଠିର ତାଙ୍କ ସମକକ୍ଷ ହୋଇନଥିବାରୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଆଜି ସେହିପରି ଏକ ଘଟଣାଚକ୍ରରେ ରାଜା ସହ ରାଜା ଯୁଦ୍ଧରେ ଅବତ୍ତୀର୍ଣ୍ଣ ହୋଇଥିଲେ । ପୂର୍ବରୁ ଓଡ଼ିଶା ପ୍ରଶାସନିକ ଅବ୍ୟବସ୍ଥା ସଂପର୍କରେ ପ୍ରଧାନମନ୍ତ୍ରୀ ମୌନ ଥିଲେ । ରାଜ୍ୟ ବିଜେପିର ପ୍ରତିକୂଳ ମନ୍ତବ୍ୟ ପ୍ରତି ମୁଖ୍ୟମନ୍ତ୍ରୀ ମଧ୍ୟ ମୌନ ଥିଲେ । କିନ୍ତୁ ଆଜି ଦୁଇ ରାଜା ରଣକ୍ଷେତ୍ରରେ ଅବତ୍ତୀର୍ଣ୍ଣ ହୋଇଥିବା ମନେ ହେଉଛି । ଏହାହିଁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶୁଭସ୍ତମ୍ବ ।