ହାତୀ ଉପଦ୍ରବକୁ ନେଇ ଚାଷୀ ହତାଶ
ଅନୁଗୋଳ,୬/୮(ସକାଳଖବର): ହାତୀ ମଣିଷ ବିବାଦ ଦିନକୁ ଦିନ ବଢ଼ିଚାଲିଛି । କେତେବେଳେ ହାତୀ ମଣିଷକୁ ମାରୁଛି ତ ଆଉ କେତେବେଳେ ମଣିଷ ହାତୀକୁ ମାରୁଛି । ପୁଣି ବେଳେବେଳେ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚଷାଭାଇର ଫସଲ ବାଡ଼ିବଗିଚାକୁ ଧୂଳିସାତ କରିଦେଉଛି ହାତୀ । ଯାହାକି ଚାଷୀର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ୁଛି । ଏଦିଗରେ କ୍ଷତିପୂରଣ ବ୍ୟବସ୍ଥା ଥିଲେ ମଧ୍ୟ ବନ ବିଭାଗର ଆନ୍ତରିକତା ଓ ସହଯୋଗର ଅଭାବରୁ ଚାଷୀକୁ ମିଳୁପାରୁନି କ୍ଷତିପୂରଣ । ଯାହାକି ଏଭଳି ପରିସ୍ଥିତ ଦେଖିବାକୁ ମିଳିଛି ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଅନ୍ତର୍ଗତ ପ୍ରତାପପୁର ଗାଁରେ । ଗତ କିଛି ଦିନ ହେଲା ଗାଁରେ ହାତୀ ଉପଦ୍ରବ ଲାଗିରହିଛି । ପାଖ ଜଙ୍ଗଲରୁ ହାତୀପଲ ଆସି ଚାଷ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ତାଣ୍ଡବ ଚଳାଇଛନ୍ତି । ଏଭଳି ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଚାଷୀ ତଥା ଅଞ୍ଚଳବାସୀ ଚିନ୍ତିତ ହୋଇପଡ଼ିଛନ୍ତି । ଏଖବର ପାଇବା ପରେ ଭାଜପା ପକ୍ଷରୁ ଏକ ପ୍ରତିନିଧି ଦଳ ଶନିବାର ପ୍ରତାପପୁର ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ହଣ୍ଡପା ରେଞ୍ଜରଙ୍କ ନିକଟରେ ଦାବି କରିଛନ୍ତି । ସୂଚନା ମୂତାବକ ଗାଁର ପ୍ରଦୀପ ସାହୁ, ବେଦ ପ୍ରଧାନ, ବାନାମ୍ବର ପ୍ରଧାନଙ୍କ ସମେତ ୧୦ରୁ ଉଦ୍ଧ୍ୱର୍ ଚାଷୀଙ୍କ ପରିବା ବଗିଚାରେ ହାତୀପଲ ପଶି କାକୁଡ଼ି, କଦଳୀ, ପୋଟଳ, ଝୋଡ଼ଙ୍ଗ ଆଦି ପରିବା ଚାଷକୁ ଦଳି ଚକଟି ଧ୍ୱଂସ କରିଦେଇଛନ୍ତି । ସେହିଭଳି ଗତ ଗୁରୁବାର ରାତିରେ ଦେବାଲ ପ୍ରଧାନଙ୍କ ଘରକୁ ଭାଙ୍ଗି ରୁଜି ଦେଇଛନ୍ତି । ଦୀର୍ଘ ଏକ ସପ୍ତାହ ଧରି ହାତୀ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ବନ ବିଭାଗ ସ୍ଥାଣୁ ପାଲଟି ଯାଇଛି । ଅନେକ ଚାଷୀ ବ୍ୟାଙ୍କରୁ ଋଣ ଆଣି ଚାଷ କରୁଥିବା ବେଳେ ହାତୀ ଉପଦ୍ୟବକୁ ନେଇ ଚାଷୀମାନେ ହତାଶ ହୋଇ ପଡ଼ିଛନ୍ତି । ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ଭାଜପାର ଏକ ପ୍ରତିନିଧି ଦଳ ରାଜ୍ୟ କୃଷକ ମୋର୍ଚ୍ଚା ସଭ୍ୟ ଦେବାଶିଷ ହୋତା, ଭାଜପା ଜିଲା ସଭାପତି ଭାଗିରଥି ପ୍ରଧାନ, ସାଧାରଣ ସଂପାଦକ ଜଗନ୍ନାଥ ଗଡ଼ନାୟକ, ବଇଣ୍ଡା ମଣ୍ଡଳ ସଭାପତି ମାୟାଧର ସାହୁ, ଧୃବଚରଣ ସାହୁ, ଯୋଗେନ୍ଦ୍ର ପ୍ରଧାନ, ଯଶୋବନ୍ତ ସାହୁ, କେଶବ ମହାନ୍ତି ପ୍ରମୁଖ ଏହି ପ୍ରତିନିଧି ଦଳ ପରିଦର୍ଶନ କରିବା ସହ ବନ ବିଭାଗ ନିକଟରେ ଦାବୀ କରିଛନ୍ତି ।