ମାଗଣାରେ ମିଳିବ ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟିକା

Dec 16, 2022 - 05:45
 43
ମାଗଣାରେ ମିଳିବ ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟିକା
ଭୁବନେଶ୍ବର : ରାଜ୍ୟରେ ଗୋମହିଷାଦିଙ୍କୁ ଦିଆଯାଉଥିବା ଚର୍ମବିଣ୍ଡି ରୋଗର ପ୍ରତିଷେଧକ ଟିକା ମାଗଣାରେ ମିଳିବ। ରାଜ୍ୟ କୃଷି ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଘୋଷଣା କରିଛନ୍ତି। ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟରେ ଚର୍ମବିଣ୍ଡି ରୋଗର ପ୍ରତିଷେଧ ପାଇଁ ଆଜି ପର୍ୟ୍ୟନ୍ତ ୧୦ ଲକ୍ଷ ୫୭ ହଜାର ୩୦୦ ଗୋରୁଙ୍କ ଟିକାକରଣ କରାଯାଇଛି। ୧୫ ଲକ୍ଷ ଡୋଜ ଟିକା ବିଭିନ୍ନ ପ୍ରାଣୀଚିକିତ୍ସା କେନ୍ଦ୍ର ଓ ପ୍ରାଣୀଧନ କେନ୍ଦ୍ରକୁ ପଠାଯାଇଛି । ଖୁବ୍‌ଶୀଘ୍ର ଆଉ ୨୭ ଲକ୍ଷ ଡୋଜ ଟିକା ପଠାଯିବ। ବର୍ତ୍ତମାନ ରାଜ୍ୟର ୩୧୪ଟି ଭ୍ରାମ୍ୟମାଣ ୟୁନିଟ୍‌, ୫୪୧ଟି ପ୍ରାଣୀଚିକିତ୍ସା କେନ୍ଦ୍ର ଏବଂ ୩୨୩୯ଟି ପ୍ରାଣୀସଂପଦ ସହାୟକ କେନ୍ଦ୍ର ମାଧ୍ୟମରେ ଚର୍ମବିଣ୍ଡି ଆକ୍ରାନ୍ତଙ୍କ ଚିକିତ୍ସା କରାଯାଇଛି। ଚର୍ମବିଣ୍ଡି ରୋଗ ବିଷୟରେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ପାଇବା ପାଇଁ ଟୋଲ୍‌ ଫ୍ରି ନଂ. ୧୫୫୩୩୩ କିମ୍ବା ୧୯୬୨ରେ ଡାଏଲ୍‌ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ୧୫ ତାରିଖ ସୁଦ୍ଧା ୧୮ ହଜାର ୮୪୨ ଗୋରୁଙ୍କ ଶରୀରରେ ଚର୍ମବିଣ୍ଡିର ଲକ୍ଷଣ ଦେଖାଯାଇଛି। ସେ ମଧ୍ୟରୁ ୯୬୨୧ ଗୋରୁ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି। ଆଜିର ଦିନରେ ୧୧୪୯ ଗୋରୁ ସୁସ୍ଥ ହୋଇଛନ୍ତି। ଏହି ରୋଗରେ କୌଣସି ଗାଈଗୋରୁଙ୍କ ମୃତ୍ୟୁ ହୁଏ ନାହିଁ। ତେଣୁ ଗୁଜବ ଶୁଣି ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି।