ନଦୀ ପଠାରେ ଫଳ ଚାଷକୁ ବିରୋଧ କରି ହାଇକୋର୍ଟରେ ମାମଲା
କଟକ,୧୯ା୫(ସକାଳଖବର): ବାରଙ୍ଗ ତହସିଲ ଅନ୍ତର୍ଗତ ଦେଓକାଲୀ ନଦୀ ପଠାରେ କାଜୁ ଓ ଅନ୍ୟାନ୍ୟ ଫଳ ଚାଷକୁ ବିରୋଧ କରି ହାକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଦେଓକାଲୀ ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତିଙ୍କ ପକ୍ଷରୁ ରୁଜୁ ଏହି ମାମଲାରେ ଦର୍ଶାଯାଇଛି ଯେ ଏହି ନଦୀ ପଠା ଦେଓକାଲୀବାସୀଙ୍କ ବ୍ୟବହାର ପାଇଁ ରହିଛି । ସର୍ବସାଧାରଣଙ୍କ ପାଇଁ ଥିବା ଏହି ନଦୀ ପଠା ଖୋଳି ସେଠାରେ କାଜୁ ଓ ଅନ୍ୟାନ୍ୟ ଚାଷ ପାଇଁ ଯୋଜନା କରାଯିବା ଗ୍ରହଣୀୟ ନୁହେଁ । ଏପରି ନିଷ୍ପତ୍ତି ନେବାର ଅଧିକାର ଉଷୁମା ସରପଞ୍ଚଙ୍କ ନାହିଁ । ଏହି ପ୍ରସଙ୍ଗରେ ସରପ ଗ୍ରହଣ କରିଥିବା ନିଷ୍ପତ୍ତି ବେଆଇନ୍ ବୋଲି ସେ ଦର୍ଶାଇଛନ୍ତି । ଫଳ ଚାଷ ପାଇଁ ପ୍ରସ୍ତାବିତ ଜମି ଉପରେ ଅନ୍ତରୀଣ ରହିତାଦେଶ ଜାରି ପାଇଁ ଆବେଦନକାରୀଙ୍କ ତରଫରୁ ପୃଥକ ପିଟିସନ୍ ଦାଖଲ କରାଯାଇଛି । ଏହି ମାମଲାରେ ଆଇନ ସଚିବ, ରାଜସ୍ୱ ସଚିବ, କେନ୍ଦ୍ରା ଳ ଆରଡିସି, କଟକ ଜିଲ୍ଲାପାଳ, ବାରଙ୍ଗ ତହସିଲଦାର, ବିଡିଓ ଓ ଉଷୁମା ସରପଞ୍ଚଙ୍କୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ଦାୟର କରିଛନ୍ତି । ପ୍ରକାଶ ଯେ ବାରଙ୍ଗ ବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ ଉଷୁମା ପଞ୍ଚାୟତରେ ଫଳ ଚାଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ବାରଙ୍ଗ ତହସିଲଦାରଙ୍କ ଅନୁମତି ମିଳିବା ପରେ ଦେଓକାଲୀ ନଦୀ ପଠାରେ ଥିବା ୬୨ ଏକର ଜମିରେ ଫଳ ଚାଷ କରିବା ପାଇଁ ସ୍ଥିିର କରାଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ପ୍ରତ୍ୟେକ ପଞ୍ଚାୟତ ନିଜସ୍ୱ ସଂପତ୍ତି ଓ ଆୟ ବୃଦ୍ଧି କରିବା ଲାଗି ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷିରେ ଉଷୁମା ପଞ୍ଚାୟତର ସରପଞ୍ଚଙ୍କ ଉଦ୍ୟମକ୍ରମେ ନଦୀ ପଠାରେ କାଜୁ, ଆମ୍ବ, ନଡିଆ, କଦଳୀ, ପଣସ ଆଦି ଉଦ୍ୟାନ କୃଷି କରିବାକୁ ନିଷ୍ପତ୍ତି ହୋଇଥିଲା । ଏପରି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି ।