ଭଲ ଅଛନ୍ତି ପ୍ରାଣକୃଷ୍ଣ, କିନ୍ତୁ ମିଳୁନି ଖାଦ୍ୟ

May 19, 2018 - 14:43
 181
କଟକ,୧୯ା୫/(ସକାଳଖବର): ପାଇପ୍ରେ ୭ଘଣ୍ଟା କାଳ ଅଟକ ରହିବାପରେ ଏବେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ବଡ ମେଡିକାଲ)ରେ ଚିକିତ୍ସିତ ଶ୍ରମିକ ପ୍ରାଣକୃଷ୍ଣ ମୁଦୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କର ପିଠି ଓ ଗୋଡରେ କ୍ଷତଚିହ୍ନ ରହିଥିବାରୁ ଗତକାଲି ଏକ୍ସ ରେ, ସିଟି ସ୍କାନ ପରୀକ୍ଷା କରାଯାଇଥିଲା । ଏହି ରିପୋର୍ଟରୁ କିଛି ସମସ୍ୟା ନଥିବା ସ୍ପଷ୍ଟ ହେବାପରେ ଆଜି ରକ୍ତ ପରୀକ୍ଷା ହୋଇଛି । ଡାକ୍ତରମାନେ ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରିବେ ମେଡିକାଲ ତରଫରୁ ସୂଚନା ମିଳିଛି । କିନ୍ତୁ ସବୁଠାରୁ ବଡ କଥା, ମେଡିକାଲ ତରଫରୁ ଇନଡୋର ରୋଗୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବାର ନିୟମ ରହିଛି । କିନ୍ତୁ ତାଙ୍କୁ ଖାଦ୍ୟ ଦିଆଯାଉନଥିବା ସର୍ଜରୀ ବିଭାଗ ୭ନମ୍ବର ବେଡ୍ରେ ଚିକିତ୍ସିତ ପ୍ରାଣକୃଷ୍ଣ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଜଣେ ଶ୍ରମିକ ହୋଇଥିବାରୁ ପ୍ରବଳ ଭୋକ ହେଉଛି । କିନ୍ତୁ ହସ୍ପିଟାଲ ତରଫରୁ ରୋଗୀଙ୍କୁ ପ୍ରଦତ୍ତ ଖାଦ୍ୟ ତାଙ୍କୁ ଦିଆଯାଇନାହିଁ । ଫଳରେ ଭୋକରେ ଆଉଟୁ ପାଉଟୁ ହେଉଥିବା ପ୍ରାଣକୃଷ୍ଣ ଭାଇଙ୍କ ଜରିଆରେ ଦୋକାନରୁ ପାଉଁରୁଟି ମଗାଇ ଖାଉଛନ୍ତି ବୋଲି ସେ କହିଛନ୍ତି । ଏଠାରେ ସୂଚନା ଥାଉକି, ଠିକା ଶ୍ରମିକଭାବେ ପ୍ରାଣକୃଷ୍ଣ କାମ କରୁଥିବାବେଳେ ଗତକାଲି ସକାଳୁ କଟକ ପୁଲିସ ସିଗ୍ନାଲ ମୁଖ୍ୟ କାର୍ଯ୍ୟାଳୟ ନିକଟ ପମ୍ପିଂ ଷ୍ଟେସନର ଚ୍ୟାମ୍ବର ସଫା କରିବାକୁ ଯାଇଥିଲେ । ନାଳ ସଫା କରିବାକୁ ସେ ପାଇପ ଭିତରେ ଥିବାବେଳେ ପମ୍ପ ଅପରେଟର ହଠାତ ପମ୍ପ ଚାଲୁ କରିଦେଇଥିଲେ । ଫଳରେ ପମ୍ପଯୋଗେ ପ୍ରବଳ ବେଗରେ ଜଳ ପ୍ରବାହିତ ହେବାରୁ ପ୍ରାଣକୃଷ୍ଣ ପାଇପ ଭିତରକୁ ଚାଲିଯାଇଥିଲେ । ଅଢେଇ ଫୁଟ ଓସାରର ପାଇପ ମଧ୍ୟରେ ୨୫ ଫୁଟ ଭିତରକୁ ଚାଲିଯାଇ ଚିକ୍ରାର କରିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ପରେ ୧୦୦ଜଣ ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିଲେ । ପ୍ରାୟ ୭ଘଣ୍ଟା କାଳ ଅକ୍ଳାନ୍ତ ପରିଶ୍ରମକରି ରାସ୍ତାକୁ ଜେସିବି ସାହାଯ୍ୟରେ ଖୋଳିବାପରେ କଂକ୍ରିଟ ପାଇପକୁ କଟର ସାହାଯ୍ୟରେ କଟାଯାଇଥିଲା । ନିୟମିତଭାବେ ପ୍ରାଣକୃଷ୍ଣଙ୍କୁ ଅମ୍ଳଜାନ ଓ ଗ୍ଲୁକୋଜ ଦିଆଯାଇଥିବାବେଳେ ଅପରାହ୍ନ ସାଢେ ୩ଟାବେଳେ ତାଙ୍କୁ ଉଦ୍ଧାର କରାଯାଇ ବଡ ମେଡିକାଲର କାଜୁଆଲିଟିରେ ଭର୍ତ୍ତି କରାଯାଇଥିଲା ।