ଅନୁଗତ ଥଇଥାନ କଂଗ୍ରେସର ପତ୍ତନର କାରଣ

Oct 6, 2018 - 05:44
 239
ଅନୁଗତ ଥଇଥାନ କଂଗ୍ରେସର ପତ୍ତନର କାରଣ
ପୁରୀ, ୬/୧୦ (ସକାଳଖବର) : ଅନୁଗତ ଥଇଥାନ, ଗୋଷ୍ଠୀକନ୍ଦଳ ଓ ନେତାଙ୍କ ଅହଂକାର ଯୋଗୁଁ ପୁରୀଜିଲ୍ଲାରେ କଂଗ୍ରେସ ସଂଗଠନ ଅବକ୍ଷୟଗାମୀ ହୋଇଥିଲା । ଏକଦା ବ୍ରଜମୋହନ ମହାନ୍ତି ଥିଲେ ପୁରୀ ଜିଲ୍ଲା କଂଗ୍ରେସର ଅପ୍ରତିଦ୍ୱନ୍ଦୀ ନେତା । ଶ୍ରୀ ମହାନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ପିସିସି ସଭାପତି ଓ କେନ୍ଦ୍ରରେ ଉପମନ୍ତ୍ରୀ ହୋଇଥିଲେ । ସେ କେନ୍ଦ୍ରକୁ ଯିବା ପରେ ତାଙ୍କ ଆଶୀର୍ବାଦରେ ୧୯୮୦ନିର୍ବାଚନରେ ଗଦାଧର ମିଶ୍ର ପୁରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ବ୍ରଜମୋହନ ମହାନ୍ତି ଓ ଗଦାଧର ମିଶ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗଦାଧର ମିଶ୍ର, ସତ୍ୟବାଦୀର ବିଧାୟକ ରବୀନ୍ଦ୍ରନାଥ ଦାସ ଓ କାକଟପୁର ବିଧାୟକ ବୈକୁଣ୍ଠନାଥ ସ୍ୱାଇଁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଘନିଷ୍ଠ ଅନୁଗତ ବନିଯାଇଥିଲେ । କିନ୍ତୁ ପରେ ନିଜର କୁଟନୀତି ପ୍ରୟୋଗ କରି ବ୍ରଜମୋହନ ମହାନ୍ତି ଗଦାଧର ମିଶ୍ରଙ୍କୁ ହରାଇବାରେ ସକ୍ଷମ ହୋଇଥିଲେ । ଦଳୀୟ ସଙ୍ଗଠନକୁ ବିଶ୍ୱାସକୁ ନନେଇ ନିଜସ୍ୱ ସଙ୍ଗଠନ ତିଆରି କରିବା ଗଦାଧରଙ୍କ ପାଇଁ ଘାତକ ହୋଇଥିଲା । ବ୍ରଜମୋହନ ମହାନ୍ତିଙ୍କ ଶିବିରରେ ଦଳର ପୁରୁଖା ନେତା ଓ କର୍ମୀମାନେ ରହିଲେ । ଫଳରେ ୧୯୮୫ ବିଧାନସଭା ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କ ନିଧନ ଯୋଗୁଁ ସାରାଦେଶରେ କଂଗ୍ରେସ ପ୍ରତି ଅନୁକମ୍ପା ହାୱା ପ୍ରଭାହିତ ହୋଇଥିଲେ ମଧ୍ୟ ଗଦାଧର ମିଶ୍ର ପରାଜିତ ହୋଇଥିଲେ । ଗଦାଧର ମିଶ୍ର ଓ ବ୍ରଜମୋହନ ମହାନ୍ତିଙ୍କ ମଧ୍ୟରେ ବିବାଦ ହେବା ପରଠାରୁ ପୁରୀରେ କଂଗ୍ରେସ ସଙ୍ଗଠନର ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସଙ୍ଗଠନରେ ଗୋଷ୍ଠୀବିବାଦ ତୀବ୍ରତର ହୋଇଥିଲା । ଏହାର ପ୍ରଭାବ ପଡ଼ିଥିଲା ୧୯୮୫ରେ ଅନୁଷ୍ଠିତ ପୁରୀ ପୌର ନିର୍ବାଚନରେ । ଗଦାଧର ମିଶ୍ରଙ୍କ ଅନୁଗତମାନେ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କଲେ । ଜନତା ଦଳ ୧୨ଟି ୱାଡର଼୍ ଅକ୍ତିଆର କରି ଜଣେ ସ୍ୱାଧୀନ କାଉନସିଲରଙ୍କ ସମର୍ଥନରେ ପୌରପାଳିକା ଦଖଲ କଲା । ୬ଜଣ ସ୍ୱାଧୀନ ଓ କଂଗ୍ରେସର ୫ଜଣ କାଉନସିଲର ଗଦାଧର ମିଶ୍ରଙ୍କ ନେତୃତ୍ୱରେ ପରିଚାଳିତ ହେଲେ । ବ୍ରଜ ମହାନ୍ତିଙ୍କ ସମର୍ଥକ ହାରିଗଲେ । ମହେଶ୍ୱର ମହାନ୍ତି ହେଲେ ନଗରପାଳ । ୧୯୯୦ରେ ଜେ. ବି ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନଥିବାରୁ ଗଦାଧରଙ୍କୁ ଟିକେଟ୍ ମିଳିଲା ନାହିଁ । ତକ୍ରାଳୀନ ପିସିସି ସଭାପତି ନନ୍ଦିନୀ ଶତ୍ପଥୀ ଓ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ସଙ୍ଗଠନ ସହିତ ବିଶେଷ ଭାବେ ଜଡ଼ିତ ନଥିବା ଡା. ବେଲାରାଣୀ ଦତ୍ତଙ୍କୁ ଟିକେଟ୍ ଦେଲେ କିନ୍ତୁ ସେ ପରାଜିତ ହେଲେ । ସେହିଭଳି ପୁରୁଣା ସଙ୍ଗଠନ ସହିତ ନଥିବାରୁ ୧୯୯୨ ଉପନିର୍ବାଚନରେ ଗଦାଧର ମିଶ୍ରଙ୍କ ପରାଜୟ ଘଟିଲା । ୧୯୯୪ରେ ମଧ୍ୟ ଅନୁଗତ ଥଇଥାନର ପୁନରାବୃତ୍ତି ଘଟିଲା । ୧୯୯୫ରେ କେନ୍ଦ୍ରମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଚାପରେ ସେତେବେଳେ ପିସିସି ସଭାପତି ଥିବା ଜେ.ବି ପଟ୍ଟନାୟକ ସଙ୍ଗୀତଜ୍ଞ ପ୍ରଫୁଲ କରଙ୍କୁ ଟିକେଟ୍ ଦେଲେ । କିନ୍ତୁ ବାହାରୁ ପ୍ରାର୍ଥୀ ଆଣି କର୍ମୀଙ୍କ ଉପରେ ଲଦି ଦିଆଯାଇଥିବାରୁ ଦଳୀୟ ସଙ୍ଗଠନ ତାଙ୍କ ସହିତ ରହିଲା ନାହିଁ । ଫଳ ସ୍ୱରୂପ ରେକଡର଼୍ ସଂଖ୍ୟକ ଭୋଟ୍ ପାଇ ମଧ୍ୟ ଶ୍ରୀ କର ପରାସ୍ତ ହେଲେ । ସେତେବେଳକୁ ବ୍ରଜ ମହାନ୍ତି ତକ୍ରାଳୀନ ମନ୍ତ୍ରୀ ଗଙ୍ଗାଧର ମହାପାତ୍ର ଓ ଗଦାଧର ମିଶ୍ରଙ୍କ ଗୋଷ୍ଠୀ ଭାଗଭାଗ ହୋଇଯାଇଥିଲେ । ସେହିଦିନ ଠାରୁ କଂଗ୍ରେସ ନେତୃତ୍ୱ ବିହୀନ ହୋଇପଡ଼ିଲା । ୧୯୯୫ରେ ଉମାବଲ୍ଲଭ ରଥ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିିତା କରିଥିଲେ । ଗଦାଧର ମିଶ୍ର ଦଳୀୟ ପ୍ରାର୍ଥୀଙ୍କୁ ଧୋକା ଦେଇ ଶ୍ରୀ ରଥଙ୍କୁ ସମର୍ଥନ କରିଥିଲେ । ଫଳରେ ଦଳୀୟ ପ୍ରାର୍ଥୀ ହାରିବା ସହିତ ସଙ୍ଗଠନ ଭାଗଭାଗ ହୋଇଗଲା । ୨୦୦୦ରେ ବିପିନ ଦାଶଙ୍କୁ ଆଣି କର୍ମୀମାନଙ୍କ ଉପରେ ପ୍ରାର୍ଥୀଭାବେ ଲଦି ଦିଆଗଲା । ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଙ୍ଗଠନ ସହିତ ତାଙ୍କର କିଛି ସମ୍ପର୍କ ନଥିଲା । ତେଣୁ ସେ ଅମାନତ ହରାଇଲେ । ରାଜ୍ୟ ନେତୃତ୍ୱ ମଧ୍ୟ କିଛି ବୁଝିଲେ ନାହିଁ । ୨୦୦୪ରେ ପିସିସି ସଭାପତି ଜେ.ବି ପଟ୍ଟନାୟକ ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀଭାବେ ଛିଡ଼ା କରାଇଥିଲେ । ପୂର୍ବରୁ ଯେହେତୁ ଉମା କଂଗ୍ରେସକୁ ବିରୋଧ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ପୁଣି କଂଗ୍ରେସକୁ ଫେରିଲା ପରେ ପୁରୁଖା କର୍ମୀ ତାଙ୍କୁ ଗ୍ରହଣ କଲେ ନାହିଁ । ସେ ନିଜସ୍ୱ ସଙ୍ଗଠନ ତିଆରି କଲେ । କିନ୍ତୁ ନିର୍ବାଚନରେ କୃତକାର୍ଯ୍ୟ ହୋଇପାରିଲେ ନାହିଁ । ୨୦୦୯ରେ ଉମା କଂଗ୍ରେସ ଛାଡ଼ି ବିଜେପିରୁ ପ୍ରତିଦ୍ୱନ୍ଦିତା କଲେ ତେଣୁ ନେତୃତ୍ୱରେ ପୁଣି ସଂକଟ ଦେଖାଦେଲା । ଜିଲ୍ଲା ସଭାପତି ଉତ୍ତମ ଆଚାର୍ଯ୍ୟଙ୍କୁ ଟିକେଟ୍ ଦିଆଗଲା, ସେ ମଧ୍ୟ ଅମାନତ ହରାଇଲେ । ୨୦୧୪ରେ ସୁଚରିତା ମହାନ୍ତି ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହେଲେ ଏବଂ ଉମା ରଥ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଉଭୟ ପରାଜୟ ବରଣ କରିଥିଲେ । ଏବେ ଉମାବଲ୍ଲଭ ରଥ ଆଠଗଡ ମୁହାଁ ହୋଇଥିବାବେଳେ କଂଗ୍ରେସ ନୂତନ ପ୍ରାର୍ଥୀ ସନ୍ଧାନରେ ରହିଛି । ବିଳମ୍ବରେ ହେଲେ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦଳୀୟ ସଙ୍ଗଠନକୁ ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କମିଟି ସଭାପତିଭାବେ ଦାୟିତ୍ୱ ନେବାପରେ ସତ୍ୟବ୍ରତ ପାତ୍ରଙ୍କୁ ମିଳିଛି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ । କ୍ଷମତାସୀନ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟରଙ୍କୁ ହାତେଇବା ଲାଗି ସମରସଜ୍ଜା ଆରମ୍ଭ ହୋଇଗଲାଣି । ବିଜେଡି ନିଜର ସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ଚାଲିଛି ଘର ସଜଡ଼ା । ପୁରୀ ଲୋକସଭା ଆସନ ଓ ଜିଲ୍ଲାର ୬ଟି ବିଧାନ ସଭା ଆସନ ଏବେ ବିଜେଡି ଦଖଲରେ ରହିଛି । ଆଗାମୀ ନିର୍ବାଚନରେ ପାଲି ଓଲଟାଇବା ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ଆପ୍ରାଣ ପ୍ରୟାସ ଚାଲିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ଷମତାସୀନ ବିଜେଡି ପକ୍ଷରୁ ସଭାସମିତି ଓ ଜନସମ୍ପର୍କ ଅଭିଯାନ କରାଯାଇଥିବା ବେଳେ ଦଳର ପ୍ରଭାବ ବିସ୍ତାର ପାଇଁ ଏବେ ଏବେ ବିଜେପି ମହିଳା ମୋର୍ଚ୍ଚାର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୁରୀରେ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ରାଜନୈତିକ ଦୃଷ୍ୟପଟ୍ଟରେ ନିଜର ସ୍ଥିତି ଜାହିର କରିବା ସହ ଜନସମସ୍ୟାକୁ ଇସୁ୍ୟ କରି ଜନତାଙ୍କ ନିକଟତର ହେବା ପାଇଁ କଂଗ୍ରେସ ପକ୍ଷରୁ ପାଳନ କରାଯାଇଥିଲା ଭାରତ ବନ୍ଦ । ପୁରୀରେ ଭାରତ ବନ୍ଦର ସଫଳତା କଂଗ୍ରେସକୁ ଉତ୍ସାହିତ କରିଛି । ଗୋଷ୍ଠୀକନ୍ଦଳ ଓ ନେତାମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦଳୀୟ ସଙ୍ଗଠନକୁ ସକ୍ରିୟ ଓ ଶକ୍ତିଶାଳୀ କରିବା ପାଇଁ ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି । ସତ୍ୟବ୍ରତ ପାତ୍ରଙ୍କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି କରାଯିବା ପରେ ଦଳରେ ସକ୍ରିୟତା ପ୍ରକାଶ ପାଇଛି । ଗୋଷ୍ଠୀକନ୍ଦଳର ଅବସାନ ଘଟାଇ ସମସ୍ତଙ୍କୁ ଏକାଠି କରିବା ପାଇଁ ଶ୍ରୀ ପାତ୍ର ଯୋଜନାବଦ୍ଧ ଉଦ୍ୟମ ଚଳାଇଥିବା ଲକ୍ଷ୍ୟ କରାଯାଇଛି । ବାରମ୍ବାର ପରାଜୟ ଯୋଗୁଁ ନୈରାଶ୍ୟ ଜର୍ଜ୍ଜରିତ ଓ ହତୋତ୍ସାହିତ ଦଳୀୟ କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଉଦ୍ଧୀପନା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ସମସ୍ତ ବିବାଦ ଓ ମତଭେଦ ଭୁଲି ଐକ୍ୟବଦ୍ଧ ହେଲେ ହିଁ କଂଗ୍ରେସ ନିର୍ବାଚନ ଯୁଦ୍ଧରେ ବିଜୟୀ ହୋଇପାରିବ ବୋଲି କର୍ମୀ ଓ ନେତାମାନେ ହୃଦୟଙ୍ଗମ କଲେଣି । ଏଭଳି ଉଦ୍ୟମ ଅବ୍ୟାହତ ରହିଲେ କଂଗ୍ରେସ ଦଳ ବିଜେଡିକୁ ଟକ୍କର ଦେଇପାରିବ ବୋଲି ଆଶା କରାଯାଉଛି । ତେବେ ୧୯୯୫ ମସିହାରୁ ଲଗାତାରଭାବେ ବିଜୟୀ ହୋଇ ଆସୁଥିବା ବର୍ତ୍ତମାନର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଶକ୍ତିଶାଳୀ ସଂଗଠନକୁ ପ୍ରତିହତ କରିବା ପାଇଁ କଂଗ୍ରେସ କତେଦୂର ସକ୍ଷମ ହେବ ତାହା ପ୍ରାର୍ଥୀ ଚୟନ ପରେ ଜଣାପଡିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।