କେନ୍ଦୁଝର ବିଜେଡିରେ ପରିବର୍ତ୍ତନର ପଦଧ୍ୱନି

Oct 6, 2018 - 05:42
 939
କେନ୍ଦୁଝର ବିଜେଡିରେ ପରିବର୍ତ୍ତନର ପଦଧ୍ୱନି
କେନ୍ଦୁଝର, ୬/୧୦ (ସକାଳଖବର) : ମନ୍ତ୍ରୀ ବଦି୍ରନାରାୟଣ ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଗାଡିକୁ ଢେଲାମାଡ ସାଙ୍ଗକୁ ପୁଅ ଦେବାଶିଷ ଗିରଫ ହେବା ଘଟଣା ଜିଲ୍ଲା ବିଜେଡି ରାଜନୀତିରେ କମ୍ପନ ସୃଷ୍ଟି କରିଛି । ଘଟଣା ପରେ ଜିଲ୍ଲା ବିଜେଡିର ଛାମୁଁଆ ନେତା ଓ କର୍ମୀମାନେ ନୀରବତା ଅବଲମ୍ବନ କରୁଥିବାବେଳେ ମନ୍ତ୍ରୀଙ୍କ ପତିଆରା କ୍ଷୁର୍ଣ୍ଣ କରିବା ଲାଗି ଷଡଯନ୍ତ୍ର ପଛରେ ସନା ମହାକୁଡଙ୍କ ଗୋଟି ଚାଳନା ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ନିର୍ବାଚନ ପାଖେଇ ଆସୁଥିବାରୁ ଦଳର ଜିଲ୍ଲା ମୁଣ୍ଡିଆଳଙ୍କ ଅନୁଗତଙ୍କ ମଧ୍ୟରେ ଛନକା ପସିଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏଥିରୁ ରାଜନୈତିକ ଫାଇଦା ନେବାଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ରାଜ୍ୟ ବିଜେଡି ନେତୃତ୍ୱ ଜିଲ୍ଲାର କଂଗ୍ରେସ ଓ ବିଜେପି ସଂଗଠନକୁ ଟକ୍କର ଦେବାଲାଗି ପ୍ରସ୍ତୁତ କରୁଥିବା ରଣନୀତିର ଏହା ଏକ ଅଂଶବିଶେଷ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି । ଦିନ ଥିଲା ଜିଲ୍ଲାର ରାମଚନ୍ଦ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇଙ୍ଗିତରେ ଚାଲିଥିଲା ଜିଲ୍ଲା ପ୍ରଶାସନ । ରାଜନୈତିକ ପତିଆରା ପାଇଁ ନିଜର ଦବଦବା ଜାହିର କରିବା ସହିତ ମନ୍ତ୍ରୀ ଶ୍ରୀ ପାତ୍ର ଦଳରେ ସଂପୂର୍ଣ୍ଣ ଏକଚାଟିଆ ଆଧିପତ୍ୟ ବିସ୍ତାର କରିଥିଲେ । ପ୍ରାର୍ଥୀଙ୍କ ଟିକେଟ ଚୟନଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଥିଲା ତାଙ୍କ ନିୟନ୍ତ୍ରଣରେ । ତେବେ ନିକଟ ଅତୀତରେ ମନ୍ତ୍ରୀଙ୍କ ଗାଡିକୁ ଢେଲାମାଡ ଓ ମରଣାନ୍ତକ ଆକ୍ରମଣ ଘଟଣା ପରେ ଏବେ ଜିଲ୍ଲା ରାଜନୀତିରେ ପଟ୍ଟ ପରିବର୍ତ୍ତନର ଆଭାସକୁ ଇଙ୍ଗିତ କରୁଛି । ରାଜ୍ୟ ଦଳୀୟ ନେତୃତ୍ୱ ଶ୍ରୀ ପାତ୍ରଙ୍କର ମତାମତକୁ ଉପେକ୍ଷା କରୁଥିବା ଲକ୍ଷ୍ୟ କରାଯାଉଛି । ଗଣଶିକ୍ଷାମନ୍ତ୍ରୀଙ୍କୁ ଆକ୍ରମଣ ପଛରେ ସନାସେନାର ହାତ ଥିବା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ, ଜିଲ୍ଳା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଥିଲେ । ଏପରିକି ସନାଙ୍କୁ ଚକମା ଦେବାଲାଗି କୁଶ ଆପଟ୍ଟଙ୍କୁ ଦଳରେ ସାମିଲ କରିବା ଲାଗି ମଧ୍ୟ ଶ୍ରୀ ପାତ୍ରଙ୍କ ଅକୁଗତ ଗୋଷ୍ଠ ପକ୍ଷରୁ ଉଦ୍ୟମ ହୋଇଥିଲା । ତେବେ ସେମାନେ ସେଥିରେ ସଫଳ ହେବା ପରିବର୍ତ୍ତେ ଅଭିଯୋଗ କରି ସେହିଦିନ ଭୁବନେଶ୍ୱରରୁ ଫେରିବା ବାଟରେ ମଙ୍ଗୁଳି ଛକ ନିକଟରୁ ଦେବାଶିଷ ପାତ୍ର ଓରଫ (ଟୁଟୁ)ଙ୍କୁ ପୋଲିସ ଗିରଫ କରିଥିଲା । ପୁଅ ଗିରଫ ହେବା ପରେ ପୋଲିସ ଆଉ ମନ୍ତ୍ରୀଙ୍କ ବୋଲ ମାନୁନଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀଙ୍କ ଅନୁଗତମାନେ ଘଟଣାପରେ ନୀରବ ରହୁଥିବାବେଳେ ଆଗାମୀ ନିର୍ବାଚନରେ ଦେବାଶିଷଙ୍କ ରାଜନୈତିକ ଥଇଥାନ ଯୋଜନା ମଧ୍ୟ ସନେ୍ଦହ ଘେରକୁ ଆସିଛି । ଅନ୍ୟପକ୍ଷରେ ରାଜଧାନୀରେ ନବୀନ ଚାରିପାଖରେ ବୁଲୁଥିବା କିଛି ନେତାଙ୍କୁ ହାତକରି ସନା ମହାକୁଡ ପୁଣି ଜିଲ୍ଲାରେ ଦଳୀୟ ସଂଗଠନକୁ କବଜା କରିନେବା ସମ୍ଭାବନାକୁ ଅସ୍ୱୀକାର କରାନଯାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।