ସମ୍ମୁଖରୁ ଆକ୍ରମଣ

Oct 6, 2018 - 05:46
 233
ସମ୍ମୁଖରୁ ଆକ୍ରମଣ
ଭୁବନେଶ୍ୱର, ୬/୧୦ (ସକାଳଖବର): ଇଏ କି ରାଜନୀତିରେ ବାବା । ଫୋନ୍ କରି ଫୁସୁଲା ଫୁସୁଲି କରି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ନିଜେ ଚାହୁଁଥିବା ପ୍ରାର୍ଥୀଙ୍କୁ ଜିତାଇଲେ । ମେଣ୍ଟରେ ଥିବା ଜେଡେୟୁର ଜଣେ ପ୍ରାର୍ଥୀଙ୍କୁ ବିଜେପି ଛିଡା କରାଇଲା ଓ ସମର୍ଥନ ପାଉନଥିବା ଲୋକଙ୍କ ସମର୍ଥନ ହାତେଇଲା । କିଏ ସେ ଦଳ ! ବିଜେଡି ଆଉ କିଏ ? ଜେଡେୟୁ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନବୀନଙ୍କୁ କୁଆଡେ ମୋଦି ଓ ଅମିତ ଶାହା ଫୋନ୍ କରି ଅନୁରୋଧ କରିଥିଲେ । ଆଉ ଜିତିବା ପରେ କୃତଜ୍ଞତା ଜଣାଇବା ବଦଳରେ ବିଜେଡି ଉପରେ ଦାଉ ସାଜିଛନ୍ତି ମୋଦି ଓ ଶାହା । ପ୍ରଧାନମନ୍ତ୍ରୀ ଓଡିଶାର ତାଳଚେର ସାର କାରଖାନାର ଶିଳାନ୍ୟାସ ଉତ୍ସବରେ ସିଧାସଳଖ ନବୀନଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ । ସେତେବେଳେ ନବୀନ ମଞ୍ଚରେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟସେବାରେ ନବୀନ ସରକାର ପୁରା ଅସୁସ୍ଥ ବୋଲି କହିଲେ । ଆଉ ସଲାସୁତୁରାରେ ପୁରା ଲଙ୍ଗଳା କରିଦେଲେ । କହିଲେ ସରକାର ପିସିରେ ଚାଲିଛି, ଅପାରଗତା ଦୁର୍ନୀତିକୁ ବଢାଇଛି, ଏମିତି କେତେ କ’ଣ କହିଦେଇ ଚାଲିଗଲେ । ହେଲେ ଅନେକ ଏହାକୁ ଗ୍ରହଣ କରିପାରିନାହାଁନ୍ତି । ଅବଶ୍ୟ ସେମାନେ ବୁଦ୍ଧିଜୀବି । ସେମାନଙ୍କ କହିବା କଥା ଏକଥା ରାଜନୈତିକ ସଭାରେ କହିଥିଲେ ଶୋଭା ପାଇଥାନ୍ତା । ଏହି କାର୍ଯ୍ୟକ୍ରମରେ ନୁହେଁ । ରାଜନୀତିରେ ଆଉ ସୌଜନ୍ୟ କଥା କିଏ ପଚାରୁଛି ? ବିଜେଡି ବିରୁଦ୍ଧରେ ନକହିଲେ ବିଜେପିକୁ କିଆଁ କିଏ ଭୋଟ ଦେବ । ପୁଣି ଲୋକେ ଭାବିବେ ଏମାନେ ଭିତରେ ଭିତରେ କୋଳାକୋଳି । କାରଣ ବିଜେପିର ୧୨୦ ମିଶନ ଯେ ସଫଳ ହେଲା ଭଳି ଦିଶୁନି । ଏହା ସମସ୍ତେ ଆକଳନ କରିସାରିଲେଣି । ଏଣୁ ଦରକାର ପଡିଲେ ଦଳ ବିଜେଡି ସହ ମିଶି ୧୨୦ମିଶନ ସ୍ୱପ୍ନ ସତ କରିବାକୁ ଚାହିଁବ । ଦେଖାଯାଉ ବିଜେଡି ପାଇଁ ବିଜେପି ସେହି ସ୍ଥିତି ଉପôନ୍ନ କରିପାରୁଛି ନା ନାହିଁ ।