ସୌରଚାଳିତ ସ୍ପ୍ରେ ମେସିନ ଉଦ୍ଭାବନ କରି ଚର୍ଚ୍ଚାରେ ତତ୍ସତ

Sep 18, 2019 - 05:58
 100
ଭଦ୍ରକ, ୧୬/୯(ସକାଳଖବର): ନିଜ ପିତାଙ୍କ ସହ ବିରି ଫସଲରେ ବିଷ ପ୍ରୟୋଗ ପାଇଁ ବଜାରରେ ମିଳୁଥିବା ସ୍ପ୍ରେୟର ମେସିନ୍ ନେଇ ବିଷ ପକାଇବା ପରେ ବୈଷୟିକ ଛାତ୍ର ତତ୍ସତ୍ ଯେଉଁ କଷ୍ଟ ଅନୁଭବ କଲେ, ତାହା ତାଙ୍କ ପିତାଙ୍କୁ ଯେ ବର୍ଷବର୍ଷ ଧରି ଦେଇଆସୁଥିବ, ସେ କଥା ଚିନ୍ତାକରି ନିର୍ମାଣ କରିଛନ୍ତି ସୋଲାର ସ୍ପ୍ରେୟର । ଯାହା ଚାଷୀମାନଙ୍କୁ ଚାଷ କାମରେ ସହାୟକ ହେବା ପାଇଁ ଏବେ ଏକ ସରଳ ମାଧ୍ୟମ ପାଲଟିବ । ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ସାନଶାସନ ପଂଚାୟତ ବାହାଦୁଲନଗର ଗ୍ରାମର ଯୁବ ଇଂଜିନୟର ତତ୍ସତ୍ ସ୍ୱାଇଁ । ତତ୍ସତ୍ ବିଷ ପକାଇବା ପାଇଁ ଏହି ସ୍ପ୍ରେ ମେସିନଟି ନିର୍ମାଣ କରିଥିବାରୁ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀମାନେ ଖୁସି ଅନୁଭବ କରିଛନ୍ତି । ବାହାଦୁଲ ନଗର ଗ୍ରାମର ବିଶ୍ୱନାଥ ସ୍ୱାଇଁ ଓ ପ୍ରମିଳା ସ୍ୱାଇଁଙ୍କ ପୁଅ ତତ୍ସତ୍(୧୯) ଏବେ ବାଲେଶ୍ୱର ସ୍ଥିତ ସତ୍ୟସାଇ ଇଂଜିନିୟରିଂ କଲେଜର ଇଲେକ୍ଟି୍ରକାଲ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ସବୁପ୍ରକାର କାମ ପାଇଁ ସ୍ପ୍ରେ ମେସିନ୍ର ଆବଶ୍ୟକତା ରହିଛି । ପୋକ ଦମନ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଚାଷକାମରେ ସ୍ପ୍ରେ ମେସିନ୍ର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଚାଷୀମାନେ ବହୁକଷ୍ଟରେ ଚାଷଜମିରେ ଚାଷ ବିଷ ପକାଉଥିବା ଦେଖି ସେ ଏହି ସୌରଚାଳିତ ସ୍ପ୍ରେ ମେସିନ୍ ନିର୍ମାଣ କରିବାକୁ ମନସ୍ଥ କରିଥିଲେ । ନିଜର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଏଥିରେ ସେ ଗୋଟିଏ ସୋଲାର ପେନାଲ, ୧୨ ଭୋଲ୍ଟର ଏକ ବ୍ୟାଟେରୀ, ୧୨ ଭୋଲ୍ଟର ଏକ ମୋଟର ପମ୍ପ, ଦୁଇଟି ସରୁ ପାଇପ୍ ଓ ମେସିନ୍ ଅଫ୍ ଅନ୍ କରିବା ପାଇଁ ଗୋଟିଏ ସୁଇଚ୍ ବ୍ୟବହାର କରିଛନ୍ତି । ଏହି ସ୍ପ୍ରେ ମେସିନ୍ଟିକୁ ମଧ୍ୟ ଇଲେକ୍ଟି୍ରକ୍ ସାହାଯ୍ୟରେ ଚାର୍ଜ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ସେହିପରି ଚାଷ ଜମିରେ ବିଷ ପକାଇବା ପାଇଁ ବ୍ୟବହାର ସହିତ ଏଥିରେ ବଲ୍ ଓ ଛୋଟ ଫ୍ୟାନ୍ ମଧ୍ୟ ଚାଲିପାରିବ ବୋଲି ସେ କହିଛନ୍ତି । ଏଥିପାଇଁ ତାଙ୍କୁ ୮ଦିନ ସମୟ ଲାଗିଥିଲା । ଏହି ସ୍ପ୍ରେୟର ଯୋଗେ ବୁନ୍ଦା ଜଳସେଚନ ସହ ନୋଜେଲ ପରିବର୍ତ୍ତନ କରି ଉଚ୍ଚଗଛରେ ମଧ୍ୟ ବିଷ ପ୍ରୟୋଗ, ଜଳସିଂଚନ ଭଳି କାର୍ଯ୍ୟ କରାଯାଇପାରିବ । ସ୍ପ୍ରେ ମେସିନ୍ ଠାରୁ ସୌର ପ୍ଲେଟ୍ଟି ଉଚ୍ଚରେ ଥିବାରୁ ଏହା ଚାଷୀ ମୁଣ୍ଡକୁ ଖରା ଦାଉରୁ ମଧ୍ୟ ରକ୍ଷା କରିବ । ହାତରେ ବ୍ୟବହାର କରାଯାଉଥିବା ମେସିନ୍ ଯୋଗୁଁ ଏହାକୁ ବ୍ୟବହାର ସମୟରେ ଚାଷୀମାନଙ୍କ ହାତରେ ଯେଉଁ ଚାପ ପଡିଥାଏ, ସେଥିରୁ ଏହା ବ୍ୟବହାର ଦ୍ୱାରା ଚାଷୀମାନେ ନିସ୍ତାର ପାଇପାରିବେ । ତତ୍ସତ୍ଙ୍କ ଏହି ସୌରଚାଳିତ ସ୍ପ୍ରେ ମେସିନ୍ ଗାଁର ଚାଷୀମାନେ ଦେଖିବା ପରେ ପ୍ରଶଂସା କରିବା ସହ ଏହାର ବ୍ୟବହାରକୁ ଅନୁଭବ କରିଛନ୍ତି । ଏହି ଯନ୍ତ୍ରଟି ନିର୍ମାଣ କରିବା ପାଇଁ ମେସିନ୍ ଡ୍ରମ୍କୁ ଛାଡି ସାଢେ ତିନି ହଜାର ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି । ଏହାର ପ୍ରସାର ପାଇଁ କୃଷି ବିଭାଗ ପଦକ୍ଷେପ ନେଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ତତ୍ସତ୍ ଆଶା ପ୍ରକାଶ କରିଛନ୍ତି । ଏହାଛଡା ଆଗକୁ ଧାନ କଳେଇ କାଟିବା ପାଇଁ ଏକ ଧାନକଟା ଯନ୍ତ୍ର ନିର୍ମାଣ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ।