ରାଜ୍ୟଗୋଷ୍ଠୀ କ୍ରୀଡ଼ା - ୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

Jul 30, 2018 - 17:13
 140
ରାଜ୍ୟଗୋଷ୍ଠୀ କ୍ରୀଡ଼ା - ୨୦୧୮ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
ଭୁବନେଶ୍ୱର,୩୦ା୭(ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା - ୨୦୧୮ର ଟେବୁଲ ଟେନିସ ପଦକ ବିଜେତାଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି କ୍ରୀଡ଼ାବିତମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ନୂଆଦିଲ୍ଲୀର ସଂସଦ ଭବନଠାରେ ସାକ୍ଷାତ କରିଥିଲେ । ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନଙ୍କର ଉଲ୍ଲେଖନୀୟ କ୍ରୀଡା ପ୍ରଦର୍ଶନ ଭାରତକୁ ବିଶ୍ୱ ସ୍ତରରେ ପହଂଚାଇଛି । ସେମାନଙ୍କ ଲାଗି ସମଗ୍ର ଦେଶ ଗର୍ବ ଓ ଗୌରବ ଅନୁଭବ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ କ୍ରୀଡ଼ା ପ୍ରତିଭାମାନେ ଛୋଟ ଛୋଟ ସହରରେ ରହିଛନ୍ତି । ଏକଥା ସଭିଏଁ ସ୍ୱୀକାର କରିବେ । ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନେ କିଭଳି ଉତମ ଓ ଗୁଣାତ୍ମକ ତାଲିମ ପାଇପାରିବେ ତାହା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ ଥିଲେ ।