ରମଣ ହେଉଛନ୍ତି ରାବଣ : ବିଜେଡ଼ି
ଭୁବନେଶ୍ୱର, ୧୨/୫(ସକାଳକବର) : ଛତିଶଗଡ଼ରେ ଆମ ମା’ ମହାନଦୀ ବନ୍ଧା ପଡ଼ିଛି । ବେଆଇନ୍ ବ୍ୟାରେଜ୍ ନିର୍ମାଣ କରିଥିବା ରମଣ ସିଂ ହେଉଛନ୍ତି ରାବଣ ସିଂ । ଏବେ ମା’କୁ ଛତିଶଗଡ଼ରୁ ମୁକୁଳାଇବାର ଆବଶ୍ୟକତା ରହିଛି । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ଆମେ ପ୍ରସ୍ତୁତ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ଆସନ୍ତା ୧୬ରୁ ସୁଖାସୋଡ଼ା ଗାଁରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନ । ଏଥିପାଇଁ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ କୁମାର ଦାସବର୍ମା, ମନ୍ତ୍ରୀ ସ୍ନେହାଗିନୀ ଛୁରିଆ, ରୀତା ସାହୁ, ପ୍ରଭାତ ଆଦିତ୍ୟ ମିଶ୍ର, ରାଣାପ୍ରତାପ ପାତ୍ର, ଅମରେଶ ପତ୍ରୀ ପ୍ରମୁଖ ବିଜେଡ଼ି ନେତା ବରଗଡ଼ ଓ ଝାରସୁଗୁଡ଼ା ଅଂଚଳରେ ଏନେଇ ବୈଠକ କରିବା ସହ ଆନେ୍ଦାଳନ କିଭଳି ସଫଳ ହେବ ସେନେଇ ରଣନୀତି କରିଛନ୍ତି । ଏହି ଅବସରରେ ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ଛତିଶଗଡ଼ ସରକାରଙ୍କ ବେଆଇନ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାରେ ମହାନଦୀ ମୃତ ଅବସ୍ଥାକୁ ପହଁଚି ଯାଇଛି । ଫଳରେ ଓଡ଼ିଶାର ମହାନଦୀ ତଟରେ ଥିବା ଚାଷୀ, ମତ୍ସ୍ୟଜୀବୀ ବିଶେଷ ଭାବେ ପ୍ରଭାବିତ ହେବା ସହ ପାନୀୟ ଜଳ ସମସ୍ୟା ପରିଲକ୍ଷିତ ହେଲାଣି । ଅପରପକ୍ଷରେ ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ନେତାମାନଙ୍କୁ ଚେତେଇ ଦେବାକୁ ପଡ଼ିବଯେ, ଓଡ଼ିଶାରେ ସେମାନଙ୍କ ପାଇଁ ସ୍ଥାନ ନାହିଁ । ଚାଷୀ ବିରୋଧୀ, ପଶ୍ଚିମ ଓଡ଼ିଶା ବିରୋଧୀ, ଓଡ଼ିଶା ବିରୋଧୀ କେନ୍ଦ୍ର ଏବଂ ଛତିଶଗଡ଼ ସରକାର ବିରୋଧରେ ଲଢେ଼ଇ କରିବାକୁ ବିଜେଡ଼ିକୁ ଆହ୍ୱାନ ଦେଇଛି ।