ବିଜେପିରେ ଅପରାଜିତା: ଜୁଏଲ ସ୍ୱାଗତ କଲେ, ଧର୍ମେନ୍ଦ୍ର ଚୁପ୍ ରହିଲେ

Nov 27, 2018 - 18:08
 203
ବିଜେପିରେ ଅପରାଜିତା: ଜୁଏଲ ସ୍ୱାଗତ କଲେ, ଧର୍ମେନ୍ଦ୍ର ଚୁପ୍ ରହିଲେ
ଭୁବନେଶ୍ୱର,୨୭/୧୧(ସକାଳଖବର): ଲୋକଙ୍କ ସେବା କରିବା ଉଦେ୍ଧଶ୍ୟରେ ସ୍ୱେଚ୍ଛାକୃତ ଭାବେ ସରକାରୀ ଚାକିରୀରୁ ଓଡିଶା କ୍ୟାଡରର ଆଇଏଏସ୍ ଅଧିକାରୀ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ମଙ୍ଗଳବାର ପୂର୍ବାହ୍ନରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଶ୍ରୀମତୀ ଷଡଙ୍ଗୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ବସନ୍ତ ପଣ୍ଡା ,ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଆସନ୍ତାକାଲି ଶ୍ରୀମତୀ ଷଡଙ୍ଗୀ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଠାରେ ମଧ୍ୟ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ବିଜେପିରେ ଯୋଗ ଦେବା ପରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ ଲୋକସେବା ପାଇଁ ରାଜନୀତି ହେଉଛି ବଡ ମଂଚ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଓ ବିଜେପିର ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି । ଏଥିପାଇଁ ସେ ବହୁ ଲୋକଙ୍କର ମତାମତ ନେଇଛନ୍ତି । ପରାମର୍ଶ ଓ ଆଲୋଚନା ମଧ୍ୟ କରିଛନ୍ତି । ବିଜେପି ବିକାଶକୁ ନୁହେଁ ଦ୍ରୁତ ବିକାଶକୁ ଗୁରୁତ୍ୱ ଦିଏ । ବିଜେପି କଣ କରିଛିତାହା ସମସ୍ତେ ଜାଣିଛନ୍ତି । ଏହି ମଂଚ ମାଧ୍ୟମରେ ଯଦି ଲୋକଙ୍କର ସେବା କରିପାରିଲି ମୁଁ ଖୁସି ହେବି । ମହିଳାଙ୍କ ମଧ୍ୟରେ ଅସୀମ ଶକ୍ତି ରହିଛି । ସେମାନଙ୍କୁ ଚିହ୍ନଟ କରି ବାହାରକୁ ଆଣିବାପାଇଁ ଉଦ୍ୟମ କରିବି । ସେ ଆହୁରି କହିଛନ୍ତି ଯେ ସ୍ୱଚ୍ଛ ଓ ପାରଦର୍ଶୀ ରାଜନୀତି କରିବି । ଲୋକଙ୍କୁ ନେଇ କାମ କରିବା ସହ ଓଡିଶାରେ ଦଳକୁ ସୁଦୃଢ କରିବାକୁ ଉଦ୍ୟମ କରିବି ବୋଲି ସେ କହିଛନ୍ତିି । ବିଜେପି ଦଳ ହେଉଛି ସୁଯୋଗ୍ୟ ଲୋକମାନଙ୍କ ରାଜନୈତିକ ସଙ୍ଗଠନ । ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ପ୍ରକଟ କରି ଆଜି ଶ୍ରୀମତୀ ଷଡଙ୍ଗୀ ଦଳରେ ସାମିଲ ହୋଇଛନ୍ତି । ଶ୍ରୀମତି ଷଡଙ୍ଗୀ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ରହି ସୂଚାରୁରୂପେ କାର୍ଯ୍ୟ କରିଛନ୍ତି ଏବଂ ଆଗାମୀ ଦିନରେ ଦଳ ପାଇଁ ଶ୍ରୀମତୀ ଷଡଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳରେ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ଷଡଙ୍ଗୀ ବିଜେପିରେ ସାମିଲ ହେବା ଯୋଗୁଁ ରାଜ୍ୟରେ ଏକ ବଡ ପ୍ରଭାବ ପଡିବା ସହ ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ଓରାମ କହିଛନ୍ତି ।