ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟ୍ରାଇବାଲ ଆଟଲାସ୍ ଅଫ୍ ଓଡିଶା ଉନ୍ମୋଚିତ

Jul 23, 2018 - 18:23
 168
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଟ୍ରାଇବାଲ ଆଟଲାସ୍ ଅଫ୍ ଓଡିଶା ଉନ୍ମୋଚିତ
ଭୁବନେଶ୍ୱର, ୨୩/୭ (ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟ ଠାରେ ଟ୍ରାଇବାଲ ଆଟଲାସ୍ ଅଫ୍ ଓଡିଶା ନାମକ ଏକ ପୁସ୍ତକର ଉନ୍ମୋଚନ କରିଛନ୍ତି ।ଏହି ପୁସ୍ତକଟି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଭାଷା ଓ ସଂସ୍କୃତି ଏକାଡେମୀର ମିଳିତ ଆନୁକୂଲ୍ୟରେ ପ୍ରକାଶିତ ହୋଇଛି । ପ୍ରତିଷ୍ଠାନର ନିଦେ୍ର୍ଧଶକ ପ୍ରଫେସର ଏ.ବି ଓତା ଏହାର ସମ୍ପାଦନା କରିଛନ୍ତି । ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍ ଏହାର ମୁଖବନ୍ଧ ଲେଖିଛନ୍ତି । ପୁସ୍ତକଟି ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ । ଏହାଦ୍ୱାରା ଜନଜାତି ମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ସହିତ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିରେ ଓଡିଶାର ଆଦିବାସୀ ମାନଙ୍କ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ତଥ୍ୟ ସମ୍ବଳିତ ମାନଚିତ୍ର , ଅନୁସୂଚିତ ଅଂଚଳ , ଜନଜାତି ମାନଙ୍କର ସଂଖ୍ୟା , ଲିଙ୍ଗ ଅନୁପାତ , ସାକ୍ଷରତା , ଶ୍ରମ ଶକ୍ତି , ଜନଜାତି ଅଂଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା , ଜନଜାତି କଳା , ସଂସ୍କୃତି , ନୃତ୍ୟ , ଭାଷା ଓ ପର୍ବପର୍ବାଣୀ ଆଦି ବିଷୟରେ ବିସ୍ତୃତ ତଥ୍ୟ ମ୍ୟାପ୍ ଆକାରରେ ସନ୍ନିବେଶିତ କରାଯାଇଛି । ଏଥିରେ ସମୁଦାୟ ୬୦ଟି ମ୍ୟାପ୍ ଏବଂ ଅନ୍ୟାନ୍ୟ ତଥ୍ୟ ଓ ଚିତ୍ରାବଳୀ ରହିଛି ।