ସାତକୋଶିଆ ବାଘ ଅନ୍ୟତ୍ର ସ୍ଥାନାନ୍ତର

Jul 23, 2018 - 18:44
 121
ସାତକୋଶିଆ ବାଘ ଅନ୍ୟତ୍ର ସ୍ଥାନାନ୍ତର
ଭୁବନେଶ୍ଶ୍ୱର, ୨୪/୭ (ସକାଳଖବର): ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଜଙ୍ଗଲରୁ ଓଡ଼ିଶାର ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଯଥାକ୍ରମେ ଅଣାଯାଇଥିବା ଏକ ବାଘ ଓ ବାଘୁଣୀର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି । ବାଘୁଣୀ ଏବେ ଜଙ୍ଗଲରେ ଖୁଆଡ଼ ମଧ୍ୟରେ ରହିଥିବାବେଳେ ବାଘକୁ ଉନ୍ମୁକ୍ତ ଜଙ୍ଗଲ ମଧ୍ୟକୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ପ୍ରତିରୋଧ ପରିପ୍ରେକ୍ଷୀରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶ୍ୱାସକୁ ନନେଇ ବାଘ ଛଡ଼ାଯାଇଥିବାରୁ ଏହାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶର ପରିବେଶବିତ୍ ଅଜୟ ଦୁବେ । ଏହି କାରଣରୁ ଏଠାକୁ ଅଣାଯିବାକୁ ଥିବା ତୃତୀୟ ବାଘକୁ ଏବେ ସଞ୍ଜୟ ଡ଼ୁବରୀ ଜାତୀୟ ଉଦ୍ୟାନକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ପୂର୍ବରୁ ପଠାଯାଇଥିବା ବାଘ ସଂପର୍କରେ ସବିଶେଷ ଅନୁକୂଳାତ୍ମକ ତଥ୍ୟ ନମିଳିବା ପର୍ଯ୍ୟନ୍ତ ଆଉ ବାଘ ପ୍ରେରଣ କରାଯିବ ନାହିଁ ବୋଲି ମଧ୍ୟପ୍ରଦେଶର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶାହାବାଜ ଅହମ୍ମ୍ ହୁସେନ କହିଛନ୍ତି । ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳରେ ଏବେ ଅନୂ୍ୟନ ୨୫ଟି ଗ୍ରାମ ରହିଛି । ଏହି ଗ୍ରାମବାସୀଙ୍କ ଜଙ୍ଗଲ ଅଞ୍ଚଳରୁ ଉଚ୍ଛେଦ ନକରି ଅତି ତରବରିଆ ଭାବେ ବ୍ୟାଘ୍ର ସ୍ଥାନାନ୍ତର କାର୍ଯ୍ୟକୁ ଜନସାଧାରଣ ବିରୋଧ କରିଛନ୍ତି । ଯେଉଁ କିଛି ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟରୁ ଉଚ୍ଛେଦ କରାଯାଇଛି ସେମାନଙ୍କୁ ସଠିକ୍ ଭାବେ ଥଇଥାନ ମଧ୍ୟ କରାଯାଇ ନାହିଁ । ଉଲ୍ଲେଖନୀୟ ଯେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ୬ଟି ବାଘ ଅଣାଯିବାର ପ୍ରସ୍ତାବ ରହିଛି । ଇତିମଧ୍ୟରେ ଦୁଇଟି ବାଘ ଆସିଥିବାବେଳେ ଆଉ ୪ଟି ବାଘ ଆସିବାକୁ ଅଛି ।