ମହାତ୍ମା ଗାନ୍ଦୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ

Oct 4, 2019 - 05:56
 130
ଭୁବନେଶ୍ୱର, ୨/୧୦(ସକାଳଖବର): ଆଜି ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଉତ୍ସାହ ଉଦ୍ଧୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୩ରୁ ୬ବର୍ଷର କୁନି କୁନି ଶିଶୁମାନଙ୍କୁ ସେମାନେ ବୁଝିପାରିବା ଭଳି ଶୈଳୀରେ ଗାନ୍ଧିଜୀଙ୍କ ଅବଦାନ ସମ୍ପର୍କରେ ନୃତ୍ୟଗୀତ ଏବଂ ଅଭିନୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା କୁନି କୁନି ଶିଶୁମାନଙ୍କୁ ଦୁଇଯୋଡ଼ା ପ୍ରାକ୍ ବିଦ୍ୟାଳୟ ୟୁନିଫର୍ମ ବଂଟନ କରାଯାଇଥିଲା । ଆଜିଠାରୁ ସାରା ରାଜ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନିଷେଧ ପରିପ୍ରେକ୍ଷୀରେ ପିଲାମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ବିଷୟରେ ସଚେତନ କରାଯାଇଥିଲା ଏବଂ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ସମସ୍ତେ ଶପଥ ଗ୍ରହଣ କରିଥିଲେ । ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କେନ୍ଦ୍ର ପରିସରକୁ ସଫେଇ କରାଯାଇଥିଲା । ବିଶେଷକରି ବାପୁ ଗୁରୁତ୍ୱ ଦେଉଥିବା ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ନାଟକ ମାଧ୍ୟମରେ ସଚେତନ କରାଯିବା ସହ ବିଭିନ୍ନ କେନ୍ଦ୍ରରେ ଶୋଭାଯାତ୍ରାମାନ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପିତାମାତା, ଜେଜେମା, ଜେଜେବାପା, ଗୋଷ୍ଠୀର ସଦସ୍ୟମାନେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପଂଚାୟତିରାଜ ପ୍ରତିନିଧି ତଥା ସ୍ଥାନୀୟ ଅଂଚଳର ନେତୃସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ । ଅଙ୍ଗନବାଡ଼ି କର୍ମୀ ଏବଂ ଆଇସିଡିଏସ କର୍ମକର୍ତମାନେ କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରିଥିଲେ । ପ୍ରକାଶ ଥାଉକି, ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ରାଜ୍ୟର ୭୨,୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୨୦.୨୪ଲକ୍ଷ ଶିଶୁଙ୍କୁ ଦୁଇଯୋଡ଼ା ପ୍ରାକ୍ ବିଦ୍ୟାଳୟ ୟୁନିଫର୍ମ ଯୋଗାଇ ଦେଉଛନ୍ତି । ପିଲାମାନଙ୍କୁ ସପ୍ତାହର ପାଂଚଦିନ ଗରମ ରନ୍ଧା ଖାଦ୍ୟ ଦିଆଯାଉଛି । ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆଣିବା ନିମନ୍ତେ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଂଟନ କରାଯାଉଛି । ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍କୁର ଦିବସ, ଟୀକାକରଣ, ଗ୍ରାମ୍ୟ ସ୍ୱାସ୍ଥ୍ୟ, ପରିମଳ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ଲୋକମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତନ ଆଣିବା ଲକ୍ଷ୍ୟରେ ନିକଟରେ ଟିକି ମାଉସୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।