ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ନିଆଁ: ୩୬ ଘଣ୍ଟା ପରେ ହେଲା ଆୟତ୍ତ
ପୁରୀ : ପୁରୀ ବଡ଼ଦାଣ୍ଡ ମରିଚିକୋଟ ଛକରେ ଥିବା ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ (ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସ)ରେ ଲାଗିଥିବା ନିଆଁକୁ ଦୀର୍ଘ ୩୬ ଘଣ୍ଟାର ଅପେରସନ ପରେ ଆୟତ୍ତ କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଚିଫ ଫାୟାର ଅଫିସର ରମେଶ କୁମାର ମାଝୀ । ବହୁତ ଚ୍ୟାଲେଜିଂ ଓ କଠିନ ରହିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ପ୍ରଥମ ପ୍ରାଥମିକତା ରହିଥିଲା ଯାତ୍ରୀମାନଙ୍କ ଜୀବନ ବଞ୍ଚେଇବା ପରେ ନିଆଁକୁ ଆୟତ୍ତ କରିବା ।
ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ୪୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଓ ୨୮ ଟି ଗେଷ୍ଟ ରୁମ ରେ ପ୍ରାୟ ୭ କୋଟି ଟଙ୍କାର ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଶ୍ରୀ ମନ୍ଦିର ନିକଟ ମରିଚ୍ଚିକୋଟ ଛକ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ତା ନଥିବାରୁ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲା । ଆଗକୁ କିପରି ସବୁ କମ୍ପ୍ଲେକ୍ସ, ମଲ, ଅଟାଳିକା ଓ ହୋଟେଲ ମାନଙ୍କରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ କରାଯିବା ସହ ପିକେଡିଏ ପ୍ଲାନିଂ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ।
ବଡ଼ଦାଣ୍ଡ ସମ୍ରାଟ୍ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ଥିବା ଏକ ପୋଷାକ ଦୋକାନରେ ସଟ୍ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍ କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଯେହେତୁ ନିଆଁ ଲାଗିଥିବା ଦୋକାନ ପାଖରେ ପୋଷାକ, ଚପଲ, ପାର୍ଲର, କସମେଟିକ୍ସ ଆଦି ଦୋକାନ ରହିଥିଲା, ଏଥିରେ ଅଗ୍ନି ସଂଯୋଗ ପରେ ପ୍ରକୋପ ବଢ଼ିବାରେ ଲାଗିଥିଲା। ଚାହୁଁଚାହୁଁ ସବୁକିଛି ହୁତୁହୁତୁ ହୋଇ ଜଳିଥିଲା। ପ୍ରଥମେ ପୁରୀ, କୋଣାର୍କ ଓ ଗୋପର ଅଗ୍ନିଶମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପାଣି ମାଡ଼ କରି ବି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ପାରିନଥିଲେ। ସଂକୁଚିତ ପ୍ରବେଶ ପଥରେ ଭିତରକୁ ଯିବାକୁ ଉଦ୍ୟମ କରି ୫ରୁ ଅଧିକ ଆଗ୍ନିକ ଅଣନିଃଶ୍ବାସୀ ହୋଇପଡ଼ିଥିଲେ।