ବିନା ଏନଓସିରେ ୧୫୭ ସ୍କୁଲ

Jul 4, 2018 - 14:16
 159
ଭଦ୍ରକ,୪/୭ (ସକାଳଖବର)- ଭଦ୍ରକ ଜିଲାରେ ଏବେ ଛତୁଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଖୋଲାଯାଉଛି । ପାଠପଢା ନାମରେ ଶିକ୍ଷାର ବ୍ୟବସାୟୀକରଣ ଚାଲିଛି । ସରକାରଙ୍କ ଠାରୁ ଶିକ୍ଷାନୁଷ୍ଠାନ ଖୋଲିବା ସକାଶେ ଆବଶ୍ୟକ ଅନୁମୋଦନ ନନେଇ ଛତୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ ଖୋଲିଚାଲିଛି । ଉଚ୍ଚମାନର ଶିକ୍ଷାଦାନ ଆଳରେ ଅଭିଭାବକଙ୍କୁ ଶିଖାଇ ଫୁସୁଲାଇ ଚାଲିଛି ଆର୍ଥିକ ଶୋଷଣ । ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପୋଷାକ, ପାଠ୍ୟ ଉପକରଣ ଏବଂ ଖାଦ୍ୟପେୟ ନାମରେ ଆର୍ଥିକ ଶୋଷଣ ଚାଲିଛି । ଭଦ୍ରକ ଜିଲାରେ ସରକାରୀ ଶିକ୍ଷାନୁଷ୍ଠାନ ବାଦ୍ ୨୦୪ ଟି ବେସରକାରୀ ପ୍ରାଇମେରୀ ସ୍କୁଲ କାଗଜପତ୍ରରେ ଚାଲିଛି । ଭଦ୍ରକ ବ୍ଲକ୍ ଏବଂ ପୌରପାଳିକାରେ ସର୍ବାଧିକ ୬୫ ଟି ଘରୋଇ ଶିକ୍ଷାନୁଷ୍ଠାନ ରହିଥିବାବେଳେ ବାସୁଦେବପୁର ବ୍ଲକ୍ ଏବଂ ପୌରପାଳିକାରେ ୩୨ଟି ଘରୋଇ ଶିକ୍ଷାନୁଷ୍ଠାନ ଚାଲିଛି । ଅନୁରୂପ ଧାମନଗର ବ୍ଲକ୍ରେ ୨୬ଟି, ଚାନ୍ଦବାଲି ବ୍ଲକ୍ରେ ୨୨ଟି ବନ୍ତ ବ୍ଲକ୍ରେ ୨୨ଟ, ତିହିଡି ବ୍ଲକ୍ରେ ୧୯ ଟି ଏବଂ ଭଣ୍ଡାରିପୋଖରୀ ବ୍ଲକ୍ରେ ୧୮ ଟି ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜିଲାରେ ସରକାରୀ ଭାବେ ଏବେ ୨୦୪ ଟି ଘରୋଇ ଶିକ୍ଷାନୁଷ୍ଠାନ ରହିଥିଲେ ମଧ୍ୟ ସେଥିରୁ ମାତ୍ର ୪୭ ଟି ଶିକ୍ଷାନୁଷ୍ଠାନକୁ ସରକାରୀ ଭାବେ ବିଦ୍ୟାଳୟ ପରିଚାଳନା ସକାଶେ ଏନଓସି ମିଳିଥିବାବେଳେ ଅବଶିଷ୍ଟ ୧୫୭ ଟି ସ୍କୁଲ ବିନା ଏନଓସିରେ ଚାଲିଛି । ଅନ୍ୟପକ୍ଷରେ ବିଦ୍ୟାଳୟ ଖୋଲିସାରିବା ପରେ ସରକାରଙ୍କୁ ଏନଓସି ମାଗିଥିବା ତଥ୍ୟକୁ ଆଧାର କରି ଜିଲାରେ ଏବେ ୨୦୪ ଟି ଘରୋଇ ଶିକ୍ଷାନୁଷ୍ଠାନ ରହିଥିବା କଥା କୁହାଯାଇଥିଲେ ମଧ୍ୟ ଏନଓସି ଆବେଦନକାରୀ ବହୁ ଘରୋଇ ଶିକ୍ଷାନୁଷ୍ଠାନ ବେଧଡକ ଭାବେ ସ୍କୁଲ ଚଳାଇଛନ୍ତି ।