ବିନା ଟେଣ୍ଡରରେ ନିର୍ମାଣ ଚାଲିଛି ୩୧ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ

Jul 4, 2018 - 14:17
 185
କେନ୍ଦ୍ରାପଡ଼ା,୪/୭ (ସକାଳଖବର) - ସରକାରୀ ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଘଂନ କରାଯାଇ ନିର୍ମାଣ କରାଯାଉଛି କଲ୍ୟାଣ ମଣ୍ଡପ । ନିୟମ ମୁତାବକ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କାମ ପାଇଁ ଟେଣ୍ଡର ଡାକିବା ବାଧ୍ୟତାମୂଳକ ଥିବାବେଳେ ମାର୍ଶାଘାଇ ବ୍ଲକରେ ଏହାର ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଛି । ୩୧ ଲକ୍ଷ ୭୩ ହଜାର ଟଙ୍କାର ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଥିବାବେଳେ ଏଥିପାଇଁ ଟେଣ୍ଡର କରାଯାଇନାହିଁ । ଏନେଇ ସୂଚନା ଅଧିକାର ଅଭିଯାନର ଜିଲ୍ଲା ଆବାହକ ରଂଜନ କୁମାର ଦାସଙ୍କ ସମେତ ନରେଶ କୁମାର ବେହୁରା, ନୀଳକାନ୍ତ ଜେନା, ଉଦୟନାଥ ଚୈାଧୁରୀ ଓ ପ୍ରମୋଦ ସ୍ୱାଇଁ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଅଭିଯୋଗକାରୀମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ମାର୍ଶାଘାଇ ବ୍ଲକର ମାର୍ଶାଘାଇ ପଂଚାୟତ ଅଧିନ ଜୁଣ ଗ୍ରାମରେ ଚତୁର୍ଥ ରାଜ୍ୟ ଅର୍ଥ କମିଶନ ଯୋଜନାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ବରାଦ କରାଯାଇଥିଲା । ଏଥିପାଇଁ ୩୧ ଲକ୍ଷ ୭୩ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଏକ ମିଥ୍ୟା ପଲ୍ଲୀସଭା କରାଯାଇ ଜୁଣ ଗ୍ରାମର ଭାଗବତ ବେହେରାଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି । ଏ କାର୍ଯ୍ୟ ପାଇଁ କୈାଣସି ଟେଣ୍ଡଡର କରାଯାଇନଥିବାରୁ ସାଧାରଣରେ ଅଭିଯୋଗ ଉଠିଛି । ସ୍ଥାନୀୟ ତହସିଲଦାରଙ୍କ ବିନା ଅନୁମତିରେ ରକ୍ଷିତ ଗୋଚର ଖାତା ନମ୍ବର- ୮୫୭ ଓ ପ୍ଲଟ୍ ନମ୍ବର- ୫୦୩ରେ କରାଯାଉଥିବାରୁ ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ହାସଲ କରିବାପରେ ଆବାହକ ରଞ୍ଜନ କୁମାର ଦାସ ଓ ଅନ୍ୟମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି