ବିଜେପିକୁ ହଟାଇବା ପାଇଁ ବିଜେଡ଼ିର ସହଯୋଗ ଲୋଡ଼ା -ୟେଚୁରୀ

May 12, 2018 - 14:29
 133
ବିଜେପିକୁ ହଟାଇବା ପାଇଁ ବିଜେଡ଼ିର ସହଯୋଗ ଲୋଡ଼ା -ୟେଚୁରୀ
ଭୁବନେଶ୍ୱର, ୧୨/୫(ସକାଳଖବର) : ବିଜେପିକୁ ଦେଶରୁ ହଟାଇବା ଜରୁରୀ । ନହେଲେ ଭାରତ ସଂଘୀୟ ଦେଶ ଭାବେ ରହିବା ମୁସ୍କିଲ । ଦେଶବାସୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବିଜେଡ଼ି ଆଗେଇ ଆସୁ ବୋଲି ସିପିଆଇଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଆହ୍ୱାନ ଦେଇଛନ୍ତି । ଭୁବନେଶ୍ୱରରେ ପହଁଚିବା ପରେ ଶ୍ରୀ ୟେଚୁରୀ କହିଛନ୍ତିଯେ, ଦେଶରୁ ବିଜେପି ଶାସନ ହଟାଇବାର ଆବଶ୍ୟକତା ରହିଛି । ବିଜେପି ଶାସନରେ ଗରିବ ଆହୁରି ଗରିବ, ଧନୀ ଆହୁରି ଧନୀ ହେଉଛି । ବିଜେପି ଶାସନ ରହିଲେ ଭାରତ ସଂଘୀୟ ଦେଶ ଭାବେ ରହିବା ମୁସ୍କିଲ ହୋଇପଡ଼ିବ । ତେବେ କଂଗ୍ରେସ ସହ କୌଣସି ରାଜନୈତିକ ମଂଚରେ ଏକାଠି ହେବୁ ନାହିଁ ବୋଲି ୟେଚୁରୀ କହିଛନ୍ତି । କିନ୍ତୁ ବିଜେପି ବିରୋଧୀ ଭୋଟ ଯେଭଳି ବିଭକ୍ତ ନହୁଏ ସେଥିପ୍ରତି ଦୃଷ୍ଟିଦେବୁ ବୋଲି ସେ କହିଛନ୍ତି । ଓଡ଼ିଶା ରାଜନୀତି ପ୍ରସଙ୍ଗରେ ମତ ରଖି ସେ କହିଲେଯେ, ବିଜେଡ଼ି ସହ ଆମ ଦଳର ମେଂଟ ହେବକି ନାହିଁ ତାହା ରାଜନୈତିକ କମିଟି ନିଷ୍ପତି ନେବ । ତେବେ ଦେଶବାସୀଙ୍କୁ ବିପଦରୁ ରକ୍ଷା କରିବା ପାଇଁ ବିଜେଡ଼ି ଆଗେଇ ଆସିବା ଦରକାର ବୋଲି ୟେଚୁରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସୀତାରାମ ୟେଚୁରୀ । ଆଜି ଶ୍ରୀ ୟେଚୁରୀ ବ୍ରହ୍ମପୁରରେ କୁସୁମ ଦାସ ସ୍ମୃତି ସଭାରେ ଯୋଗଦେବେ । ୧୨ରେ ଭୁବନେଶ୍ୱରରେ ଆୟୋଜିତ ‘ସାମ୍ପ୍ରତିକ ଜାତୀୟ ରାଜନୈତିକ ପରିସ୍ଥିତି ଓ ବାମପନ୍ଥୀମାନଙ୍କ ଦାୟିତ୍ୱ’ ଶୀର୍ଷକ ବିଷୟରେ ୟେଚୁରୀ ବକ୍ତବ୍ୟ ପ୍ରଦାନ କରିବେ । ଆସନ୍ତାକାଲି ଅପରାହ୍ନରେ ସିପିଏମ ରାଜ୍ୟ ସମ୍ପାଦକ ମଣ୍ଡଳୀ ଓ ରାଜ୍ୟ କମିଟି ବୈଠକରେ ଦଳର ୨୨ତମ ପାର୍ଟି କଂଗ୍ରେସର ରାଜନୈତିକ ଏବଂ ସାଂଗଠନିକ ସିଦ୍ଧାନ୍ତ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।