ରେଭେନ୍ସା କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ

May 12, 2018 - 14:32
 153
ରେଭେନ୍ସା କୁଳପତି ନିଯୁକ୍ତି ପ୍ରକ୍ରିୟାକୁ ଚାଲେଞ୍ଜ
କଟକ,୧୨ା୫(ସକାଳଖବର): ରେଭେନ୍ସା କୁଳପତିଙ୍କ ନିଯୁକ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ୍.ଏନ୍ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଆବେଦନକାରୀ ସୁବାଷ ଚନ୍ଦ୍ର ସାମଲଙ୍କ ପକ୍ଷରୁ ଦାୟର ମାମଲାରେ ଶୁଣାଣି କରି କୋର୍ଟ ଉଚ୍ଚ ଶିକ୍ଷା ବିଭାଗ ସଚିବ, ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳ ସଚିବ, କୁଳାଧିପତି, କୁଳପତି ଓ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି । ଗ୍ରୀଷ୍ମ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ କଟକ ଜିଲ୍ଲା କାନପୁର ଅଞ୍ଚଳର ସାମାଜିକ କର୍ମୀ ଶ୍ରୀ ସାମଲଙ୍କ ପକ୍ଷରୁ ରୁଜୁ ଏହି ମାମଲାରେ କୁଳପତି ନିଯୁକ୍ତି ପ୍ରକ୍ରିୟାରେ ୟୁଜିସି ନିୟମାବଳୀର ଉଲ୍ଲଘଂନ କରାଯାଇଛି ବୋଲି ଦର୍ଶାଯାଇଛି । କୁଳପତି ନିଯୁକ୍ତି ପାଇଁ ଗଠିତ ସର୍ଚ୍ଚ କମିଟି ୟୁଜିସି ନିୟମାବଳୀ ଅନୁସାରେ କରାଯାଇନଥିଲା । ୟୁଜିସି ନିୟମାବଳୀ ଅନୁସାରେ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ହେବା ପାଇଁ ଜଣେ ବ୍ୟକ୍ତିଙ୍କର ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ଆବଶ୍ୟକ ଥିବାବେଳେ ବିଶ୍ୱବିଦ୍ୟାଳୟ ସହ ତାଙ୍କର ସଂପର୍କ ନଥିବ । କିନ୍ତୁ ସର୍ଚ୍ଚ କମିଟିର ଅଧ୍ୟକ୍ଷ ଜଣେ ଅବସରପ୍ରାପ୍ତ ଆଏଏସ୍ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସଦସ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ବିଭିନ୍ନ ଭାବେ ଜଡିତ ଥିଲେ । ନିୟମ ଉଲ୍ଲଘଂନ କରାଯାଇ ସର୍ଚ୍ଚ କମିଟି ଗଠନ କରାଯାଇଥିବା ବେଳେ କୁଳପତି ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ହୋଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ତେବେ ୨୦୧୭, ଡିସେମ୍ବର ମାସ ୨୩ତାରିଖରେ ରେଭେନ୍ସା କୁଳପତିଙ୍କ ନିଯୁକ୍ତି ନେଇ ପ୍ରକାଶିତ ବିଜ୍ଞପ୍ତି ରଦ୍ଧ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ରଥ ଓ ଆଇନଜୀବୀ ଶାଶ୍ୱତ ଦାସ ମାମଲା ପରିଚାଳନା କରୁଛନ୍ତି ।