ମାସେ ମଧ୍ୟରେ ୫୦ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା

May 12, 2018 - 14:26
 177
ମାସେ ମଧ୍ୟରେ ୫୦ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା
ଭୁବନେଶ୍ୱର, ୧୨/୫(ସକାଳଖବର) : ରାଜ୍ୟ କଂଗ୍ରେସକୁ ସଜାଡ଼ିବା ପାଇଁ ଏବେ ଭରପୂର ପ୍ରୟାସ ଆରମ୍ଭ ହୋଇଛି । ଆଉ ଏଥିପାଇଁ ନିଜେ ଅଙ୍କ କଷୁଛନ୍ତି ଦଳର ପ୍ରଭାରୀ ଜିତେନ୍ଦ୍ର ସିଂହ । କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଖାଲି ସେତିକିନୁହେଁ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ଯେଉଁଭଳି ଭାବେ ଆଶାନୁରୂପକ ସଫଳତା ପାଇବ ସେଥିପାଇଁ ମଧ୍ୟ କସରତ ଆରମ୍ଭ ହୋଇଛି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମରେ ମାସକ ମଧ୍ୟରେ ପ୍ରଥମ ଦଫାରେ ରାଜ୍ୟ କଂଗ୍ରେସ ୫୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ସୂଚାଇ ଦିଆଯାଇପାରେ, ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଜିତେନ୍ଦ୍ର ସିଂହ ତିନି ମାସ ମଧ୍ୟରେ ୮୦ ଭାଗ ଆସନ ଚୂଡ଼ାନ୍ତ ହେବବୋଲି ସୂଚନା ଦେଇଥିଲେ । କଂଗ୍ରେସ ସଂଗଠନ ସୁଦୃଢ଼ କରିବା ପାଇଁ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତି ଜିଲ୍ଲା ଗସ୍ତରେ ଯାଇ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ପିସିସି ସଭାପତି ଭବାନୀପାଟଣା ଠାରେ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଏଆଇସିସିର ତିନି ସମ୍ପାଦକ କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ସାଙ୍ଗରେ ଧରି ଭିନ୍ନ ଭିନ୍ନ ଭାବେ ବିଭିନ୍ନ ଜିଲ୍ଲା ଗସ୍ତରେ ଅଛନ୍ତି । ଏଆଇସିସି ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗତକାଲି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି । ଏଆଇସିସିର ଅଧିକାଂଶ ନେତା ଗତକାଲି ପର୍ଯ୍ୟନ୍ତ କର୍ଣ୍ଣାଟକରେ ବ୍ୟସ୍ତ ଥିଲେ । ଏହାପରେ ପିସିସିର ଏକ ଛୋଟ ଟିମ୍ ଘୋଷଣା ହେବାକୁ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ମାସକ ମଧ୍ୟରେ ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ୫୦ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରଥମ ଦଫାରେ ଘୋଷଣା ହେବ । ଯଦି ମଳ ମାସକୁ କଂଗ୍ରେସ ହିସାବକୁ ନିଏ ତେବେ ଏହି ତାଲିକା ଘୋଷଣା କିଛି ଦିନ ବିଳମ୍ବିତ ହୋଇପାରେ । କାରଣ ସମୟ ବେଳା ଦେଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଆଇସିସି ଅନୁମୋଦିତ ଏହି ପ୍ରଥମ ଦଫା ତାଲିକା ଘୋଷଣା କରିବାକୁ ଯାଉଛନ୍ତି । ତେବେ ପ୍ରାର୍ଥୀ ଚୟନର ଗୋଟିଏ ମାତ୍ର ମାପକାଠି କରାଯାଇଛି । କେବଳ ବିଜୟ ସମ୍ଭାବନା ପ୍ରାର୍ଥୀଙ୍କୁ ଦଳ ଟିକେଟ ପ୍ରଦାନ କରିବ । ଯେତେପାଖ ଲୋକ ହେଉ ବା ଶତ୍ରୁ ଲୋକ ହେଉ ଜିତିବା ସମ୍ଭାବନା ଥିଲେ ସେ ଲୋକକୁ କଂଗ୍ରେସ ପ୍ରାର୍ଥୀ କରିବାକୁ ନିଷ୍ପତି ନେବା ପାଇଁ ଆଲୋଚନା ହୋଇଥିବା ଜାଣିବାକୁ ମିଳିଛି । ତେବେ ପର୍ଯ୍ୟାୟକ୍ରମେ ତିନି ମାସ ମଧ୍ୟରେ ୧୪୭ ବିଧାନସଭା ଆସନ ମଧ୍ୟରୁ ୮୦% ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । କିନ୍ତୁ ଏଥିରେ ଏକ ସର୍ତ ରଖାଯାଇଛି । ଯଦି ପ୍ରାର୍ଥୀ ଘୋଷଣାର ତିନି ମାସ ପରେ ସେ ପ୍ରାର୍ଥୀ ସଂପୃକ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଶାନୁରୂପକ ଗ୍ରହଣୀୟ ହୋଇପାରୁନାହିଁ ସେକ୍ଷେତ୍ରରେ ପରିବର୍ତନ କରିବାର ସମ୍ଭାବନା ରହିଛି ।